ବାରିପଦା, ପୌରପରିଷଦ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କର ସମସ୍ତ ପ୍ରତିମୂର୍ତି ସୁରକ୍ଷିତ ଅବସ୍ଥାରେ ରହିଥିବା ସମୟରେ ବିଶିଷ୍ଟ କ୍ରୀଡ଼ାବିତ ବ୍ରଜ ସୁନ୍ଦର ଦାଶଙ୍କ ପ୍ରତିମୂର୍ତିର କୌଣସି ଖୋଜ ଖବର ନାହିଁ । କେବଳ ଷ୍ଟାଡ଼ିୟମର ପରିସର ମୁଖ୍ୟ ଫାଟକ ନିକଟରେ ଏକ ପିଣ୍ଡି ପୌରପରିଷଦର ପୂଜ୍ୟପୂଜାକୁ ପରିହାସ କରୁଥିବାର ପରିଲକ୍ଷିତ ହେଉଛି । ଆମ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ବିଶିଷ୍ଟ କ୍ରୀଡ଼ାବିତ୍ ବ୍ରଜ ସୁନ୍ଦରଙ୍କ ପ୍ରତିମର୍ତି କୁଆଡ଼େ ଗଲା ସେ ସମ୍ପର୍କରେ ସୂଚନା ସଂଗ୍ରହ ନିମନ୍ତେ ପୌରପରିଷଦରେ ପହଁଚିବା ପରେ ପ୍ରତିମୂର୍ତି ବିଷୟରେ ସୂଚନା ମିଳିବା ତ ଦୂରର ବିଷୟ ବ୍ରଜ ସୁନ୍ଦର କିଏ ସେ ବିଷୟରେ କାହାକୁ କିଛି ଜଣା ନଥିଲା ।ଏହି ବିଶିଷ୍ଟ କ୍ରୀଡ଼ାବିତ ବ୍ରଜସୁନ୍ଦର ଦାସ ବନାରସ ବିଶ୍ୱବିଦ୍ୟାଳୟରୁ ମର୍ଯ୍ୟାଦାଜନକ କାବ୍ୟ ସାଂଖ୍ୟତୀର୍ଥ ଉପାଧୀପ୍ରାପ୍ତ ହୋଇ ବାରିପଦା ସଂସ୍କୃତ ଟୋଲରେ ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ବୁଦ୍ଧି ନାଥ ଦାଶଙ୍କ ଜ୍ୟେଷ୍ଟ ପୁତ୍ର ଭାବେ ୧୯୦୫ ଜୁଲାଇ ପହିଲାରେ ଭୂମିଷ୍ଠ ହୋଇଥିଲେ । ବାଲ୍ୟକାଳରୁ ଖେଳକୁଦ ପ୍ରତି ଆକୃଷ୍ଟ ହୋଇ ନିଜ ପ୍ରତିଭାର ପରିଚୟ ଦେଇଥିଲେ । ମ୍ୟାଟ୍ରିକ୍ୟୁଲେସନ ପଢ଼ୁଥିବା ସମୟରେ ସ୍କୁଲ ଟିମକୁ ସଂଗଠିତ କରାଇ ଶ୍ରୀରାମଚନ୍ଦ୍ର ମେମୋରିଆଲ ସିଲଡ଼ ପ୍ରତିଯୋଗିତାରେ ଭାଗ ନେଇ ସର୍ବଶ୍ରେଷ୍ଠ ସିଲଡ଼ ଅର୍ଜନ କରିଥିଲେ । ଏହାପରେ ହାଇସ୍କୁଲ ଫୁଟବଲ ଦଳ ୧୯୨୧-୨୨ରେ କଟକଠାରେ ଆୟୋଜିତ ପ୍ରତିଯୋଗିତା ଭାଗ ନେଇ ସିଲଡ଼ ବିଜୟୀ ହୋଇଥିଲେ । ବ୍ରଜବାବୁଙ୍କ ଉଦ୍ୟମ କ୍ରମେ ୧୯୩୨ରେ ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନ ପ୍ରତିଷ୍ଠା ହୋଇ କୋଲକାତାର ଆଇଏଫଏ ସହିତ ଅନୁବନ୍ଧିତ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାରେ ଯୁବ ଖେଳାଲୀମାନଙ୍କୁ ନେଇ ଏକ ଦୁର୍ଦ୍ଧଷ ଫୁଟବଲ ଟିମ ଗଠନ କରି ସମଗ୍ର ଓଡ଼ିଶାର ଏକ ନମ୍ବର ଫୁଟବଲ ଟିମ ଭାବେ ସୁନାମ ଅର୍ଜନ କରିଥିଲେ । ୧୯୨୬ରେ କୋଲକାତାର ଭବାନୀପୁର ଫୁଟବଲ ଟିମରେ ଯୋଗ ଦେଇ ଆଇଏଫଏ ସିଲଡ଼ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରି ନିଜର ପ୍ରତିଭାର ପରିଚୟ ଦେଇଥିଲେ । ସେହି ସମୟରେ ସମସ୍ତ ଗଣମାଧ୍ୟମ ତାଙ୍କର ପ୍ରଶଂସାରେ ଶତମୁଖର ହେବା ସାଙ୍ଗକୁ ତାଙ୍କୁ ଡେଞ୍ଜରସ ଲେଫଟ ଆଉଟ ବା ଇନଭିଜିବିଲ ଲେଫଟ ଆଉଟ ବି.ଏସ ବୋଲି ଆଖ୍ୟା ଦେଇଥିଲେ । ୧୯୨୮ରେ ବିହାର-ଓଡ଼ିଶା ଅଲମ୍ପିକ ଓ ପରେ ଲେବର ଅଲମ୍ପିକରେ ହଡ଼ଲସ ଓ ହପ୍ ଷ୍ଟେପ୍ ଜମ୍ପ ଇତ୍ୟାଦିରେ ଭାଗ ନେଇ ସାଫଲ୍ୟ ହୋଇଥିଲେ । ପୁଣି ପାଟନା ସାଇନଓ ମହାବିଦ୍ୟାଳୟରେ ଇନ୍ସପେକ୍ଟର ଅଫ ଗେମସ୍ ପଦବୀରେ ନିଯୁକ୍ତି ପାଇଥିଲେ । ୧୯୩୧ରେ ବାରିପଦା ଏମକେସି ହାଇସ୍କୁଲରେ ଖେଳ ଶିକ୍ଷକ ଭାବେ ମହାରାଜାଙ୍କ ଦ୍ୱାରା ନିଯୁକ୍ତି ପାଇଥିଲେ । ବାରିପଦା ସ୍କୁଲ ଟିମ ସହିତ ବାରିପଦା ଟାଉନ କ୍ଲବକୁ ପ୍ରଶିକ୍ଷଣ ଦେଉଥିବା ସମୟରେ ମହାରାଜା ପ୍ରତାପଚନ୍ଦ୍ରଙ୍କ ପୃଷ୍ଠପୋଷକତାରେ ୧୯୩୨ରୁ ୪୩ ପର୍ଯ୍ୟନ୍ତ କୋଲକାତା ଯାଇ ଫୁଟବଳ ଖେଳର ଆଧୁନିକ କଳା କୌଶଳ ଉପରେ ସ୍ୱତନ୍ତ୍ର ତାଲିମ ନେବା ସାଙ୍ଗକୁ ଏରିଆନଓ ଟିମ ପାଇଁ ଖେଳୁଥିଲେ । ତାଙ୍କର ବିଚକ୍ଷଣ କ୍ରୀଡ଼ା କୌଶଳକୁ ଦେଖି କୋଲକାତାର ମୋହନବାଗାନ ଟିମ ଦଳରେ ସାମିଲ କରାଇବାର ଉଦ୍ୟମ ଆରମ୍ଭ କରିଥିଲା । ବ୍ରଜବାବୁଙ୍କ ପ୍ରଶିକ୍ଷଣ ପାଇ ବାରିପଦାରେ ଫୁଟବଲ ଖେଳର ସଂସ୍କୃତି ବଦ୍ଧମୂଳ ହୋଇପାରିଥିଲା ଏବଂ କୃଷ୍ଣ ଦାଶ, ଦୀନବନ୍ଧୁ ବୋଷ, ଶ୍ୟାମସୁନ୍ଦର ଦାସ, ନିତ୍ୟ ଗୋପାଲ ଦେ, ବଙ୍କିମ ଦତ, ଜଗନ୍ନାଥ ବେହେରା, ସୁରେନ୍ଦ୍ର ବେନାର୍ଜୀ, ରମେଶ ମହାପାତ୍ର, ଆଦିକନ୍ଦ ଦ୍ୱାରୀ, ରାଧା ଗୋବିନ୍ଦ ରଥ ଅଧିକାରୀ, କମଳ ବୋଷ, ମାଇତାବ ଖାଁ, ବିନୁ ବେନାର୍ଜୀ, ଭାସ୍କର ଷଢ଼ଙ୍ଗୀ, ବୀରେନ ରାୟ, ସୁରେନ୍ଦ୍ର ପାତ୍ର, ଜଗନ୍ନାଥ ମିସ୍ତ୍ରୀ, ପଦ୍ମ ଲୋଚନ ପତି, ରବି ନାରାୟଣ ଦାଶ, ଗଣେଶ ବୋଷ, ପରେଶ ଦାସ, ଗଣେଶ ମହାନ୍ତି ପ୍ରମୁଖ ଶତାଧିକ ଖେଳାଳୀ କେବଳ ମୟୂରଭଞ୍ଜ ନୁହେଁ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରି ଗୌରବ ଆଣିବାରେ ସମର୍ଥ ହୋଇଥିଲେ । ମହାରାଜାଙ୍କ ପୃଷ୍ଠପୋଷକତା ଓ ଫୁଟବଲର କିମ୍ବଦନ୍ତୀ ପୁରୁଷ ବ୍ରଜବାବୁଙ୍କ ପ୍ରଶିକ୍ଷଣରେ ବାରିପଦା ଫୁଟବଲ ଟିମ ରାଜ୍ୟର ଏକ ଅପରାଜେୟ, ଦୁର୍ଦ୍ଧଷ ଟିମରେ ପରିଣତ ହୋଇଥିଲା । ଫଳରେ ୧୯୩୭ରେ ୟୁରୋପିଆନ ଚମ୍ପିଆନ ଟିମ୍ ଗ୍ରୀସର କରିନଥିଆନ ଦଳ ଭାରତ ଗସ୍ତରେ ଆସି ମୟୂରଭଞ୍ଜ ଏକାଦଶ ସହିତ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳି ଥିଲା । ସେହିପରି ଭାରତର ବିଖ୍ୟାତ ଫୁଟବଲ ଟିମ ବିଭିନ୍ନ ସମୟରେ ପ୍ରଦର୍ଶନୀ ମ୍ୟାଚ ଖେଳିବା ନିମନ୍ତେ ବାରିପଦାକୁ ଆସୁଥିଲେ । ଫୁଟବଲ ଖେଳର ଏହି କିମ୍ବଦନ୍ତୀ ପୁରୁଷ ବ୍ରଜବାବୁଙ୍କୁ ବାରିପଦା ପୌରପରିଷଦ ଆଜି ଅଣଦେଖା ପ୍ରଦର୍ଶନ କରୁଥିବାରୁ ଏହା ଜିଲ୍ଲାର ଫୁଟବଲ୍ ଖେଳାଳୀ ଓ ଫୁଟବଲ୍ ପ୍ରେମୀମାନଙ୍କ ହୃଦୟରେ ଗଭୀର ଆଘାତ ପହଁଚାଇଛି ।
ମୟୂରଭଞ୍ଜ ଜିଲ୍ଲାର ଗାନ୍ଧୀବାଦୀ ନେତା ଦୀନକୃଷ୍ଣ ଆମ ସମ୍ବାଦଦାତାଙ୍କୁ ଦେଇଥିବା ସୂଚନା ଆଧାରରେ, ସେ ଯେତେବେଳେ ବାରିପଦା ପୌରପରିଷଦର ନଗରପାଳ ରହିଥିଲେ ସେହି ସମୟରେ ବ୍ରଜସୁନ୍ଦରଙ୍କ ପ୍ରତିମୂର୍ତି ଷ୍ଟାଡ଼ିୟମରେ ପ୍ରତିଷ୍ଠା କରାଇଥିଲେ । ମାତ୍ର କୌଣସି ଅସାମାଜିକ ବ୍ୟକ୍ତି ଭାଙ୍ଗି ଦେଇଥିବାରୁ ମୂର୍ତିକୁ ଆଣିି ପୌରପରିଷଦର ଷ୍ଟୋର ରୁମରେ ରଖିଥିଲେ ବୋଲି ପ୍ରକାଶ କରିଛନ୍ତି ।