
ଭୁବନେଶ୍ୱର, ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅପରାଧୀଙ୍କୁ ଗିରଫ ଏବଂ କେନ୍ଦ୍ରୀୟ ଯୋଜନାର ସଠିକ୍ କ୍ରିୟାନ୍ୱୟନ କରିବା ଦାବିରେ ଆସନ୍ତାକାଲି (ଶନିବାର) ବିଜେପି ବିଧାନସଭା ଘେରାଉ କରିବ । ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ଏହି ସୂଚନା ଦେଇଛନ୍ତି । ଅପରପକ୍ଷରେ ମାହାଙ୍ଗା ଡବଲ ମର୍ଡର ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ୧୭ ମାର୍ଚ୍ଚ ଠାରୁ ମହାଙ୍ଗା ନିର୍ବାଚନମଣ୍ଡଳୀ ଠାରୁ ବିଜେପି ନେତା ଶାରଦା ପ୍ରଧାନଙ୍କ ନେତୃତ୍ୱରେ ବାହାରିଥିବା ପଦଯାତ୍ରା ଶୁକ୍ରବାର ଭୁବନେଶ୍ୱରରେ ପହଂଚିଛି । ରସୁଲଗଡ ଛକ ଠାରେ ଏହି ପଦଯାତ୍ରା ପହଂଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ପଦଯାତ୍ରୀଙ୍କ ସହ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ବଂଟନରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶ ଏବଂ ମାହାଙ୍ଗା ଡବଲ ମର୍ଡରରେ ସଂପୃକ୍ତ ଥିବା ସମସ୍ତ ଅପରାଧୀ ଗିରଫ ନହେବା ପର୍ଯ୍ୟନ୍ତ ବିଜେପି ଚୁପ୍ ବସିବନି ବୋଲି କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ । ଏହି ସ୍ୱାଗତ ସମୟରେ ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଂଟିଆଙ୍କ ସମେତ ଜିଲ୍ଲା ବିଜେପିର ଶତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ ।