
କୋରାପୁଟ, କୋରାପୁଟର ଦାମନଯୋଡ଼ି ଠାରେ ଆଜି ପରସ୍ପର ମୁହାଁମୁହିଁ ପୋଲିସ ଓ ବିସ୍ଥାପିତ । ବିସ୍ଥାପିତଙ୍କ ଢ଼େଲା ମାଡ଼ରେ ପୋଲିସ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଯାଇ ପୋଲିସ ଟିୟର୍ ଗ୍ୟାସ୍ ର ପ୍ରୟୋଗ କରିଛି । ଘଟଣା ପରେ ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଜାରୀ କରାଯାଇଛି । ଅଁଳାବାଡ଼ି ଛକ ଠାରୁ ମାଇନ୍ସ ପର୍ଯ୍ୟନ୍ତ ୧୪୪ ଧାରା ଜାରୀ କରାଯାଇଛି । ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ଗିରଫ କରିଛି ପୋଲିସ । ଘଟଣା ପରେ ପୋଲିସ ପକ୍ଷରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଘଟଣାସ୍ଥଳରେ ପୋଲିସ ଛାଉଣି ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ୮ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି । ଦୋକାନ ବଜାର ବନ୍ଦ ରହିଛି ।ଆନ୍ଦୋଳନକାରୀଙ୍କ ଦାବି ଯେ, ପୋଲିସକୁ ହଟାଇ ଦିଆଯାଉ । ସେମାନେ ପ୍ରଶାସନ ସହିତ ଆଲୋଚନା ପାଇଁ ରାଜି ଅଛନ୍ତି । ଲିଖିତ ଭାବେ ଦେଲେ ଆମେ ଆନ୍ଦୋଳନରୁ ଉଠିବୁ ।
ପ୍ରକାଶ ଥାଉକି, ନାଲକୋରେ ନିଯୁକ୍ତି ଦାବି କରି ୪ ଦିନ ହେଲା ବିସ୍ଥାପିତ ମାନେ ଧାରଣାରେ ବସି ରହିଛନ୍ତି । ଅଁଳାବାଡ଼ି ଛକ ଠାରୁ ମାଇନ୍ସକୁ ରାସ୍ତାକୁ ବନ୍ଦ କରିଛନ୍ତି ବିସ୍ଥାପିତ । ଫଳରେ ନାଲକୋର ଦିନକୁ ୨୫ ହଜାର ମେଟ୍ରିକ୍ ଟନ୍ ଉତ୍ପାଦନ ବନ୍ଦ ରହିଛି । ଘଟଣାର ସମାଧାନ ନିମନ୍ତେ ସ୍ଥାନୀୟ ତହସିଲଦାର ଗତକାଲି ରାତିରେ ଘଟଣାସ୍ଥଳକୁ ଯାଇଥିବା ବେଳେ ସମାଧାନର କୌଣସି ସୂତ୍ର ବାହାରି ପାରିନଥିଲା । ଏହାପରେ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସକାଳୁ ଉପ ଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରୁ ମାଇନ୍ସ ପର୍ଯ୍ୟନ୍ତ ଅଂଚଳରେ ୧୪୪ ଧାରା ଜାରୀ କରିଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ।