ମୁଲତବୀ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ପ୍ରଦୀପ୍ତ ନାଏକ , ସନ୍ତୋଷ ସିଂ ସାଲୁଜା , ଅଧିରାଜ ପାଣିଗ୍ରାହୀ, ମୁକେଶ ମହାଲିଙ୍ଗ , ସୁବାସ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଅଭିଯୋଗ କରିଥିଲେ ଯେ ଯେଉଁ ଉଦ୍ଦେଶ୍ୟନେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହୋଇଥିଲା ତାହା ସାଧିତ ହୋଇପାରିନାହିଁ । ମନ୍ଥର ଗତିରେ ଚାଲିଛି । ଏହାର କାର୍ଯ୍ୟଧାରା ସନ୍ତୋଷଜନକ ନୁହେଁ । ଖୁବ୍ଶୀଘ୍ର ପରିଷଦ ଗଠନ କରିବା , ଲୋକସଭା ସଦସ୍ୟ ଓ ସମସ୍ତ ବିଧାୟକମାନଙ୍କୁ ଏଥିରେ ସଭ୍ୟଭାବେ ରଖିବା ସହ ସେମାନଙ୍କୁ ଭୋଟିଂ ଅଧିକାର ଦେବା ,ବିଶେଷଜ୍ଞ ଆଳରେ ରାଜନୈତିକ ବ୍ୟକ୍ତିଙ୍କୁ ଥଇଥାନ ନକରିବା , ବିଧାୟକମାନଙ୍କ ସୁପାରିଶରେ ୭୦ % ପ୍ରକଳ୍ପ , ସାଂସଦମାନଙ୍କ ସୁପାରିଶରେ ୨୦% ଓ ଜିଲ୍ଲାପରିଷଦ ଅଧ୍ୟକ୍ଷମାନଙ୍କ ସୁପାରିଶରେ ୧୦% ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉ ବୋଲି କହିଥିଲେ । ବିଧାୟକମାନଙ୍କୁ ୧ କୋଟି ଟଙ୍କା ବଦଳରେ ୫ କୋଟି ଟଙ୍କାଦିଆଯାଉ । ପରିଷଦର ମୁଖ୍ୟ କାର୍ଯ୍ୟର୍ାଳୟକୁ ପଶ୍ଚିମ ଓଡିଶାରେ ପ୍ରତିଷ୍ଠା କରାଯାଉ ଏବଂ ଏହାକୁ ସ୍ୱଂୟ ଶାସିତ କରାଯାଉ ବୋଲି ଦାବି କରିଥିଲେ । ସେହିପରି ଶାସକ ଦଳ ସଦସ୍ୟ ଦେବେଶ ଆଚାର୍ଯ୍ୟ , ରୋହିତ ପୂଜାରୀ , ରାଜେନ୍ଦ୍ର ଢୋଲକିଆ ପ୍ରମୁଖ କହହିଥିଲେ ଯେ ପରିଷଦ ଠିକ୍ ଭାବେ ଚାଲିଛି । ଆଂଚଳିକ ବୈଷମ୍ୟ ହ୍ରାସ ପାଇବା ଆରମ୍ଭ କରିଛି । ସବୁ ଜିଲ୍ଲାରେ ଏହାର ୟୁନିଟ୍ ଖୋଲାଯିବାକୁ ସରକାର ନେଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ ।
ଆଲୋଚନାର ଉତରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହେବା ପରଠାରୁ ୧୬୮୨.୫୨ କୋଟି ଟଙ୍କାର ଅନୁଦାନ ସରକାର ଯୋଗାଇଛନ୍ତି । ୨୦୦୮-୦୯ ଆର୍ଥିକ ବର୍ଷରୁ ସ୍ୱତନ୍ତ୍ର ଅନୁଦାନ ରୂପେ ୫୦ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ରାଶି ଯୋଗାଇ ଦେଉଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ପରିଷଦର ୋଟ ଅନୁଦାନ ରାଶି ୨୦୦ କୋଟି ଟଙ୍କାକୁ ବୃଦ୍ଧି କରିବା ପ୍ରସ୍ତାବ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଅଧିକ ସକ୍ରିୟ କରିବାପାଇଁ ରାଜ୍ୟ ସରକାର ଜିଲ୍ଲା ସଦରମହକୁମାରେ ଯୋଜନା ଓ ସଂଯୋଜନ ବିଭାଗ ଅଧିନସ୍ଥ ଜିଲ୍ଲା ଯୋଜନା ଓ ମନିଟରିଂ ୟୁନିଟ୍ ର ଉପନିର୍ଦ୍ଦଶକଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା ଅଫିସରସ୍ତରୀୟ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।