ସୂଚନା ଅନୁଶାରେ, ମହାନଗର ଇଲାକାରେ ହୋଲଡିଂ ଟିକସ ଲାଗି ମୋଟ୍୧୫ ପ୍ରତିଶତ ଅର୍ଥ ଆଦାୟ ହେଉଛି । ଏଥିରେ ୧୦ ପ୍ରତିଶତ ହୋଲଡିଂ, ୩ ପ୍ରତିଶତ ଲାଇଟ ଓ ୨ ପ୍ରତିଶତ ନାଳ ଲାଗି ନିଆଯାଉଛି । ମୋଟ୍ ୧୫ ପ୍ରତିଶତ ପରେ ଯଦି ଆପଣ ଭଡ଼ା ଲଗାଇଛନ୍ତି ତେବେ ଆପଣଙ୍କୁ ମୋଟ୍ ଭଡାରୁ ୧୫ ପ୍ରତିଶତ କାଟି ହିସାବ ଅନୁଶାରେ ଟିକସ ଦେବାକୁ ପଡିବ ବୋଲି କୁହାଯାଇଛି । ପୂର୍ବରୁ ପୌରପାଳିକା ବର୍ଷକୁ ୨ କୋଟି ଟଙ୍କା ହୋଲଡିଂ ଟିକସ ଆଦାୟ ବକରୁଥିବା ବେଳେ ଏହାକୁ ୧୦ କୋଟିରେ ପହଁଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି । ତେବେ ଆଇନରେ କୌଣସି ପରିବର୍ତନ କରାଯାଇନି ୧୯୬୨ ମସିହାରେ ଯାହା ନିୟମ ଥିଲା ତାହାହିଁ ରହିଛି । ତେବେ ୨୦୧୮/୧୯ ମସିହାରେ ଭୁବନେଶ୍ୱରର ସଯୋଗୀ ନାମକ ଘରୋଇ ସଂସ୍ଥା ଦ୍ୱାରା ରାଉରକେଲା ସହରର ୧୬,୮୮୯ ହୋଲଡିଂକୁ ଯାଂଚ କରାଯାଇ ନୂଆ ଟିକସ ନିର୍ଦ୍ଧାରଣ ହୋଇଥିଲା । ଯେଉଁ ସବୁ ଘର ଭଡ଼ା କିମ୍ବା ବଢାଯାଇଛି ସେଗୁଡିକୁ ଅଧିକ ଟିକସ ଲଗାଯାଇଥିଲା । ସେହି ଅନୁଶାରେ ବର୍ତମାନ ହୋଲଡିଂ ଟିକସ ଆଦାୟ ହେଉଛି ବୋଲି କୁହାଯାଇଛି । ତେବେ ବର୍ତମାନ ପ୍ରଶ୍ନ ଉଠୁଛି ଟିକସ ଦାତା ମାନେ ଯେଉଁ ସବୁ ସୁବିଧା ଲାଗି ଟିକସ ଦେଲେ ସେ ସବୁ ସୁବିଧା ସହରର ମୂଲ୍ୟବାନ ଜମି ଜବରଦଖଲ କରି ବସ୍ତିକରି ରହୁଥିବା ଲୋକେ ମଧ୍ୟ ବିନା ପଇସାରେ ପାଇଲେ । ପାଣି ଲାଗି ରାସ୍ତାରେ ଯାଇଥିବା ମୁଖ୍ୟ ପାଣି ଲାଇନକୁ ଫଟାଇ ସେଥିରୁ ପାଣି ସାଙ୍ଗକୁ ବିଜୁଳି ମଧ୍ୟ ବିନା ପଇସାରେ ନେଇ ଜାଳଲେ ଓ ଟିକସରୁ ମୁକ୍ତ ହେଲେ, ତେଣୁ ଏଭଳି ଜବର ଦଖଲ ଅତି ସୁନ୍ଦର ଉପାୟ ବୋଲି କୁହାଯାଉଛି ଓ ଘରଯାଗା କିଣି ଏଭଳି ଟିକସ ଝମେଲାରେ ପଡିବା ବୋକାମୀ ବୋଲି ଆଲୋଚନା ଚାଲିଛି । କିଛି ଲୋକ ଆଇନ ଅନୁସାରେ ରହିଲେ ଓ ଟିକସ ଦେଲେ, ଅନ୍ୟମାନେ ସରକାରୀ ଜମିକୁ ଜବରଦଖଲ କଲେ ସବୁ ସୁବିଧା ନେଇ ରହିଲେ । ତେବେ ଟିକସ ଦେଉଥିବା ଲୋକଙ୍କ ଉପରେ ହୋଇଥିବା ଜୁଲୁମକୁ ନେଇ ନେତା ମାନେ ଚୁପ କିନ୍ତୁ, ଜବରଦଖଲକାରୀ ମାନଙ୍କ ଲାଗି ନେତାଙ୍କ ଛାତି ଫାଟି ଯାଉଛି । ଏଭଳି ସ୍ଥିତିରେ ଏହି ହୋଲଡିଂ ଟିକସ ଆକଳନ ବେଳେ ସମ୍ପୃକ୍ତ ସଂସ୍ଥାର କିଛି ଯୁବକ ସିଭିଲ ଟାଉନ, ଛେଣ୍ଡ ଓ ବାସନ୍ତୀ ନକଲୋନୀ ଅଂଚଳରେ ଥିବା ବଡ ବଡ ଭଡା ଦିଆଯାଇଥିବା ଘର ଗୁଡିକୁ ଛୋଟ ଘର ଦର୍ଶାଇ ନିଜେ ମାଲିକମାନଙ୍କଠାରୁ ଭରପୁର ଫାଇଦା ନେଇ ଅତି କମ୍ ଟିକସ କରି ଚାଲିଯାଇଥିବା କଥା ସେତେବେଳେ ଅଭିଯୋଗ ହୋଇଥିଲା । ତେବେ ଏନେଇ କୌଣସି ପ୍ରକାର ତଦନ୍ତ କରାଗଲା ନାହିଁ କିମ୍ବା ସେ ସମୟର ଆଇଏଏସ ବାବୁ ମାନେ ମଧ୍ୟ ଏହାକୁ ଗୁରୁତ୍ୱ ଦେଲେ ନାହିଁ । ତେବେ ଯେଉଁମାନେ ଏଭଳି କିଛି ଅଭିଯୋଗ କରିଥିଲେ ସେମାନଙ୍କ ବାସଗୃହ ଗୁଡିକୁ ଆସନ୍ତା ମାସରେ ଯାଂଚ କରାଜିବ ବୋଲି ସୂଚନା ମିଳିଛି । ଏହି ସଯୋଗୀ ସଂସ୍ଥାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ୧ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଥିଲେ ବି ସମ୍ପୃକ୍ତ ସଂସ୍ଥାର ଆକଳନ ଓ କାର୍ଯ୍ୟକଳାପ ସନ୍ତୋଷଜନକ ନଥିଲା ବୋଲି ସାଧାରଣରେ କଥା ଉଠୁଛି ।
ଅନ୍ୟପକ୍ଷରେ ରାଉରକେଲା ସହର ବଢୁଛି, କିନ୍ତୁ ହୋଲଡିଂ ସଂଖ୍ୟା ବଢୁ ନାହିଁ, ଯେଉଁ ହୋଲଡିଂ ବାଲା ରହିଛନ୍ତି ସେହି ମାନଙ୍କ ଉପରେ ଚାପ ବଢିବା ସହ ସେମାନଙ୍କ ଉପରେ ଆଇନ ଲାଗୁ ହେଉଛି । ବାସ୍ତବରେ ଏହି ବିଭାଗ କାର୍ଯ୍ୟକଳାପ ଦିର୍ଘ ଦିନରୁ ସନ୍ଦେହର ପରିଧି ଭିତରେ ରହିଥିବାରୁ ମହାନଗର ନିଗମ ଏଥିଲାଗି ବହୁ ମାତ୍ରାରେ ଟିକସ ହରାଉଛି ଓ କିଛି ଲୋକେ ମଧ୍ୟ ଠକିବା ଲାଗି ସୁଯୋଗ ପାଉଛନ୍ତି ବୋଲି ସାଧାରଣରେ ଆଲୋଚନା ଚାଲିଛି ।