-
୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି
ଭୁବନେଶ୍ୱର, ରାଜ୍ୟରେ ବର୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ । ବିଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି । ପଞ୍ଜିକୃତ ଚାଷୀଙ୍କର ଧାନ ବିକ୍ରିରେ ଯେମିତି ସମସ୍ୟା ନ ହେବ ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ଦିନ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତର ରଖି ଏହା କହିଛନ୍ତି । ସେ ବିଧାନସଭାରେ କହିଛନ୍ତି, ଆମ ରାଜ୍ୟରେ ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଅଦ୍ୟାବଧି ୧୧,୪୪୧ କୋଟି ଟଙ୍କା ର ସର୍ବମୋଟ ୬୧.୨୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ଧାନ କ୍ରୟ କାର୍ଯ୍ୟକ୍ରମ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲୁ ରହିବ । ବିଗତ ଖରିଫରେ ଏହି ସମୟ ସୁଦ୍ଧା ୫୧.୭୩ ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ କରଯାଇଥିଲା । ବିଗତ ଖରିଫରେ ସର୍ବମୋଟ ୫୩.୩୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ଖରିଫରେ ଅଦ୍ୟାବଧି ୧୧.୫୦ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି । ଗତ ବର୍ଷ ଏହି ସମୟକୁ ସରକାରଙ୍କୁ ଧାନ ବିକ୍ରି କରିଥିବା ଚାଷୀଙ୍କ ସଂଖ୍ୟା ଥିଲା ୯.୩୦ ଲକ୍ଷ । ଅତଏବ, ଚଳିତ ବର୍ଷ ଚାଷୀ ଅଂଶଗ୍ରହଣରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ବିଗତ ଧାନ ସଂଗ୍ରହ ବର୍ଷ ୨୦୧୭-୧୮, ୨୦୧୮-୧୯ ଓ ୨୦୧୯-୨୦ର ଖରିଫରେ ଯଥା କ୍ରମେ ସର୍ବମୋଟ ୩୮.୨୧ ଲକ୍ଷ ମେଟ୍ରିକ ଟନ୍, ୫୧.୫୬ ଲକ୍ଷ ମେଟ୍ରିକ ଟନ୍ ଓ ୫୩.୩୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହେଇଥିଲା । ସେହିପରି ଉକ୍ତ ବର୍ଷ ମାନଙ୍କରେ ଖରିଫରେ ସରକାରଙ୍କୁ ଧାନ ବିକ୍ରୀ କରିଥିବା ଚାଷୀଙ୍କର ସଂଖ୍ୟା ଯଥା କ୍ରମେ ୬.୮୭ ଲକ୍ଷ, ୮.୬୪ ଲକ୍ଷ ଓ ୯.୫୬ ଲକ୍ଷ ରହିଥିଲା ଏବଂ କ୍ରୟ କରାଯାଇଥିବା ଧାନର ମୂଲ୍ୟ ଯଥା କ୍ରମେ ୫,୯୨୩ କୋଟି, ୯,୦୨୪ କୋଟି ଓ ୯,୬୭୬ କୋଟି ରହିଥିଲା ।ବଲାଙ୍ଗିର ଜିଲ୍ଲାର ୪ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ଗୋଟିଏ ଡବ୍ଲୁଏସଏଚଜିର ଧାନକ୍ରୟ କେନ୍ଦ୍ର ପୁନର୍ବାର ଚାଲୁ କରାଯାଇ ୫୦ ଜଣ ଚାଷୀଙ୍କଠାରୁ ୨୬୩୬.୦୬ କ୍ୱିଂଟାଲଧାନ କ୍ରୟ କରାଯାଇଛି । ବଲାଙ୍ଗୀର ଜିଲ୍ଲାରେ ଟୋକନ୍ ଲାପ୍ସ ହୋଇଯାଇଥିବା ପ୍ରାୟ ୪୫୦ ଜଣ ଚାଷୀଙ୍କର ଅନୁସନ୍ଧାନ ଚାଲୁ ରହିଛି । ବଲାଙ୍ଗୀର ଜିଲ୍ଲାରୁ ଆସିଥିବା ପ୍ରାୟ ୪୦୦ ଜଣ ନକଲି ଚାଷୀଙ୍କ ବାବଦ ଅଭିଯୋଗ ସଂକ୍ରାନ୍ତରେ ଆବଶ୍ୟକୀୟ ତଦନ୍ତ କରାଯାଉଛି । ଅନ୍ୟ ଜିଲ୍ଲାରୁ ଏ ବାବଦରେ ନିର୍ଦ୍ଦିଷ୍ଟ ଅଭିଯୋଗ ହସ୍ତଗତ ହେଲେ ତାହା ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦେବଗଡ ଜିଲ୍ଲାରେ ଧାନକ୍ରୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବାପାଇଁ ସମ୍ବଲପୁର ଜିଲ୍ଲାରୁ ଆସି ଏହି ଜିଲ୍ଲାରେ ଧାନ ସଂଗ୍ରହ କରୁଥିବା ୬ ଜଣ କଷ୍ଟମ ମିଲର ମାନଙ୍କ ପାଇଁ ଅମାନତ ଜମା ନିୟମକୁ କୋହଳ କରାଯାଇଛି । ଦେବଗଡ ଜିଲ୍ଲାପାଳ ବୈଧତା ହରାଇଥିବା ପ୍ରାୟ ୨୯୦୦ ଟୋକନ୍ , ଜିଲ୍ଲାପାଳ ମୟୂରଭଞ୍ଜ ପ୍ରାୟ ୫୦୦୦ ଲାପସ ଟୋକନ୍ , ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ପ୍ରାୟ ୨୦୦ ଚାଷୀଙ୍କ ବାବଦରେ ତଦନ୍ତ କାର୍ଯ୍ୟ ଜାରୀ ରହିଛି ।ବରଗଡ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ପୁନର୍ବାର ଚାଲୁ କରାଯାଇ ପ୍ରାୟ ୮୧୬ ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି । ୧୦୦ ଜଣ ପ୍ୟାକସ୍ ସଂପାଦକ ଓ ଅନ୍ୟ କର୍ମକର୍ତାଙ୍କୁ ଧାନ କ୍ରୟ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି । ଏତଦ୍ ବ୍ୟତୀତ ୭ ଜଣ କର୍ମକର୍ତାଙ୍କୁ ବହିଷ୍କାର କରାଯାଇଛି ।ପଦମପୁର ଆରଏମସି ସଂପାଦକଙ୍କୁ ଧାନ କ୍ରୟ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି । ଚାନ୍ଦବାଲିଆରଏମସି ସଂପାଦକଙ୍କୁ ଧାନ କ୍ରୟ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଉଛି । ତାଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି ଏବଂ ଭଦ୍ରକ ଜିଲ୍ଲାରେ ଧାନ କ୍ରୟ କାର୍ଯ୍ୟରେ ଜାଲିଆତି କରିଥିବା ଦୁଇ ଜଣ ଚାଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରାଯାଇଛି ବୋଲି ମନ୍ତ୍ରୀ ଜଣାଇଛନ୍ତି ।