
-
ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମନ୍ତ୍ରୀଙ୍କ ଉତରରେ ନାହିଁ : ପ୍ରଦୀପ୍ତ ନାଏକ
-
ମନ୍ତ୍ରୀ ପୂର୍ବ କଥା ଦୋହରାଇଛନ୍ତି : ନରସିଂହ ମିଶ୍ର

ମନ୍ତ୍ରୀଙ୍କ ଉତରରେ ଉଭୟ କଂଗ୍ରେସ ଓ ବିଜେପି ଦଳର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କ୍ଷୋଭ ପ୍ରକାଶ କରି କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଗତକାଲି ହୋଇଥିବା ଆଲୋଚନା କାଳରେ ସେ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ମନ୍ତ୍ରୀଙ୍କ ବିବୃତିରେ ଉଲ୍ଲେଖ ନାହିଁ । ତାକୁ ଆମେ ନିନ୍ଦା କରୁଛୁ । କଂଗ୍ରେସ ଦଳ ନେତା ବିଜେଡି- ବିଜେପି ଭାଇ-ଭାଇ ବୋଲି ଆମ ବିରୁଦ୍ଧରେ ଯେଉଁ ଅଭିଯୋଗ କରିଛନ୍ତି ତାହା ଠିକ୍ ନୁହେଁ । ବରଂ କଂଗ୍ରେସ ଶାସକ ଦଳର ଗୋଡାଣିଆ ହୋଇଛି ବୋଲି ସେ କହିଛନ୍ତି । କଂଗ୍ରେସ ଦଳର ସଦସ୍ୟମାନେ ମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରି ଗୃହର ମଧ୍ୟଭାଗରେ ଧାରଣା ଦେଇ ବସିଥିଲେ । କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଯେଉଁ ମୂଳ ସମସ୍ୟାକୁ ନେଇ ୬ ଦିନ ଗୃହ ଅଚଳ ହୋଇଥିଲା ତାହା ମନ୍ତ୍ରୀଙ୍କ ବିବୃତିରେ ପ୍ରତିଫଳିତ ହୋଇନାହିଁ । ପୂର୍ବରୁ ଯାହା କହିଥିଲେ ତାହା ଦୋହରାଇଛନ୍ତି । ଏହି ପବିତ୍ର ଗୃହକୁ ଧୋକା ଦିଆଯାଇଛି । ବିଜେପି ସଦସ୍ୟମାନଙ୍କ ସହିତ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ଧାନ କିଣିବା ସେମାନଙ୍କୁ ପ୍ରତିଶୃତି ଦେଇଥିଲେ । ସର୍ବଦଳୀୟ କମିଟି ବୈଠକକୁ ଆସିବେ ବୋଲି କହିଥିଲେ କିନ୍ତୁ ଆସିଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ଆଳରେ ବିଜେପି ସଦସ୍ୟମାନେ ତାଙ୍କ ଘରକୁ ଶୋଭାଯାତ୍ରା କରିଯାଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ୱାଗତ କରିଥିଲେ । କନ୍ୟାପିତା ଯେଉଁଭଳି ବିବାହରେ ବରଯାତ୍ରୀଙ୍କୁ ସ୍ୱାଗତ କରନ୍ତି ସେମାନଙ୍କ ୁ ସେହିଭଳି ଫୁଲ ,ଅତର ଦେଇ ସ୍ୱାଗତ କରାଯାଇଥିଲା । ଏତେ ସବୁ କାର୍ଯ୍ୟ ହେଲା । କିନ୍ତୁ ଫଳ ଶୂନ । ମୁଖ୍ୟମନ୍ତ୍ରୀଙ୍କ ଘରୁ ଫେରିବା ପରେ ବିଜେପି ସଦସ୍ୟମାନେ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରେ ପାର୍ଥକ୍ୟ ରହିଥିଲା । କାଲି ଯାହା ସେମାନେ କଲେ ତାହା ନାଟକ ଥିଲା । ପ୍ରହସନ ଥିଲା । ବର୍ତମାନ ମୋ ଜିଲ୍ଲାରେ ଥିବା ପ୍ୟାକ୍ସକୁ ଫୋନ୍ କରିଥିଲେ କିନ୍ତୁ ସେମାନଙ୍କ ପାଖକୁ ଟୋକନ ଆସିନଥିବା କହିଛନ୍ତି । ନକଲି ଚାଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇନାହିଁ ।
ଏଥିରେ ହସ୍ତକ୍ଷେପ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଗତକାଲି ମୁଖ୍ୟମନ୍ତ୍ରୀ ଓ ବିଜେପି ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ସୌହାଦ୍ଦ୍ୟପୁର୍ଣ୍ଣ ଥିଲା । ଧାନ କିଣିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବେ ବୋଲି ମୋର ମନେ ହେଉନାହିଁ । ସେକହିଥିଲେ ଯେ ସେ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବ ଦଳୀୟ କମିଟି ବୈଠକ ଡାକିବି । ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ଦଳ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କରିଥିଲେ । ଏଥିରୁ ନିବୃତ ରହିବା ପାଇଁ ବାଚସ୍ପତି ସେମାନଙ୍କୁ ଅନୁରୋଧ କରିଥିଲେ ହେଁ ସେମାନେ ଶୁଣି ନଥିଲେ । ଫଳରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ଗୃହରେ ଦେଖାଦେଇଥିବା ଅଚଳାବସ୍ଥାକୁ ଏଡାଇବା ପାଇଁ ସର୍ବଦଳୀୟ ଡାକିଥିଲେ ବାଚସ୍ପତି । ମାତ୍ର କଂଗ୍ରେସ ସଭ୍ୟମାନେ ବୈଠକକୁ ଯାଇନଥିଲେ ।
ପୁନର୍ବାର ଗୃହକୁ ଆସି ବାଚସ୍ପତି ସେମାନଙ୍କୁ ଯୋଗ ଦେବାକୁ ଅନୁରୋଧ କରିଥିଲେ । ସେମାନେ ଜିଦ୍ ରେ ଅଟଳ ରହିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୨ ଟା ୪୫ ରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।