ପୁରୀ, ଆସନ୍ତା ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ପରିଦର୍ଶନରେ ଆସିବେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ । ସେଥିପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୨୨ ତାରିଖ ଦିନ ୧୨ଟାରୁ ୧ ଟା ମଧ୍ୟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଦର୍ଶନ ବେଳେ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ତାଙ୍କ ସହିତ ରହିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ସେହିପରି ରାଷ୍ଟ୍ରପତିଙ୍କ ସାଙ୍ଗରେ ଯିବାକୁ ଥିବା ସମସ୍ତ ଅନୁଗାମୀ, ଅଧିକାରୀ ଓ ସେବାୟତ ମାନଙ୍କର କୋଭିଡ଼୍ ଟେଷ୍ଟ କରାଯିବ । ଏହା ପରେ ସ୍ଥାନୀୟ ସର୍କିଟ୍ ହାଉସରେ ସ୍ୱଳ୍ପ ରହଣି ପରେ କୋଣାର୍କ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି କୋଭିନ୍ଦ । କୋଣାର୍କରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ସହ ଅଏଲ୍ ଇଣ୍ଡିଆର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ । ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨୦୧୮ ମସିହା ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ବେଳେ ଏହା ତାଙ୍କର ଦ୍ୱିତୀୟ ଗସ୍ତ ।