
ପୁରୀ, ଜାତୀୟ ସୁରକ୍ଷା ପରିଷଦ (ଏନଏସଜି) ଟିମ୍ ଗତକାଲି ସଂନ୍ଧ୍ୟାରେ ଓ ଆଜି ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ସୁରକ୍ଷା ବ୍ୟବସ୍ଥାର ଯାଂଚ୍ କରିଛନ୍ତି । ଏକ ତିନି ଜଣିଆ କମିଟି ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିଛନ୍ତି । ଏହା ସହ ଧାଡ଼ି ଦର୍ଶନ ବ୍ୟବସ୍ଥା, ବଡ଼ ଛତା ମଠ ପାଖ ମେଘନାଦ ପ୍ରାଚୀରର ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।ପ୍ରକାଶ ଥାଉ କି, ୨୦୧୭ ମସିହାରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଶ୍ରୀମନ୍ଦିର ପ୍ରତି ଆତଙ୍କବାଦୀ ଟାର୍ଗେଟ୍ ଥିବା ସମ୍ପର୍କରେ ରିପୋର୍ଟ ଦେଇଥିଲେ । ୨୦୧୭ – ୧୮ ମସିହାରେ ଏନଏସଜି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଂଚ୍ କରିଥିଲେ । ଏହା ସହ ଶ୍ରୀମନ୍ଦିରରେ ଗହଳି ନିୟନ୍ତ୍ରଣ, ଭିଡ଼ ବେଳେ ସୁରକ୍ଷା ପରିଚାଳନା, ମନ୍ଦିରରେ ଅଧିକ ପୋଲିସ ପୋଷ୍ଟ ସ୍ଥାପନ, ଭକ୍ତ ଓ ସେବାୟତଙ୍କୁ ପୋଲିସର ସୁ ବ୍ୟବହାର ସମ୍ପର୍କରେ ତାଲିମ୍ ଦେବା ପାଇଁ ଆଲୋଚନା କରିଥିଲେ । ଏହା ସହ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅଧିକ ସିସିଟିଭି ଲଗାଇବା ନିମନ୍ତେ ଆଲୋଚନା କରିଥିଲେ । ଶ୍ରୀମନ୍ଦିର ବାହାରେ ଚାରିକୋଣରେ ଥିବା ଚାରଟି ୱାଚ୍ ଟାୱାରକୁ କାର୍ଯ୍ୟକ୍ଷମ କାରିବା ପାଇଁ ପରାମର୍ଶ ଦେଇଥିଲେ ।