ମାଲକାନଗିରି, ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ଗୁଡିକରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବାଲିମେଳା ନଗର ବିଜେପି । ଏ ସମ୍ପର୍କରେ ଏକ ୯ ଦଫା ସମ୍ବଳିତ ଦାବିପତ୍ର ବିଜେପି ଦଳ ପକ୍ଷରୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବି ଗୁଡିକ ମଧ୍ୟରେ ବାଲିମେଳା ମିନି ଷ୍ଟାଡିୟମ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏଯାଏଁ ତାହା ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ ତେଣୁ ଏହାର ନବୀକରଣ କରାଯାଉ । ସେହିପରି ପାର୍କରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଉନ୍ନତିକରଣ ନାମରେ କିଛି ଏନଏସିର କର୍ମଚାରୀ ଟଙ୍କା ଚଳୁ କରିଛନ୍ତି, ତେଣୁ ତୁରନ୍ତ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ । ବାଲିମେଳା ନଗରରେ ଥିବା ସବୁ ମଶାଣି ଗୁଡିକରେ ଅଲୋକୀକରଣ ବ୍ୟବସ୍ଥା କରାଯାଉ । ସ୍ୱଚ୍ଛ ଭାରତ ଯୋଜନାରେ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ଚାରିଚକିଆ ଯାନ ପ୍ରତ୍ୟେକ ୱାର୍ଡ କୁ ଯାଉ, ଖରାଦିନେ ଜଳ ଯୋଗାଣ ନାମରେ ଏନଏସି ପ୍ରତି ବର୍ଷ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରୁଛି ତେଣୁ ବାଲିମେଳା ନଗରର ପ୍ରତ୍ୟେକ ଛକରେ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା କରାଯାଉ, ବାଲିମେଳା ନଗରର ପ୍ରତ୍ୟେକ ୱାର୍ଡରେ ସଫେଇ କାର୍ଯ୍ୟ ଏବଂ ପ୍ରତ୍ୟେକ ଦିନ ସବୁ ୱାର୍ଡର ନାଳ ଗୁଡିକ ସଫା କରି ସେଥିରେ ବ୍ଲିଚିଂ ପାଉଡର ବ୍ୟବହାର କରାଯାଉ, ପୁନର୍ବାର ଭୂମି ପଞ୍ଜିକରଣ ପ୍ରମାଣପତ୍ରର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସର୍ବେକ୍ଷଣ କରିବା ଆବଶ୍ୟକ, ବାଲିମେଳା ନଗରର ୧୨ ଟି ୱାର୍ଡ ମଧ୍ୟରେ ଯେଉଁ ହିତାଧିକାରୀ ମାନେ ପଟ୍ଟା ବାବଦରେ ପଇସା ଜମା କରିଛନ୍ତି ସେମାନଙ୍କ ଠାରୁ ଉଚିତ୍ ମୂଲ୍ୟ ନେଇ ବଳକା ଅର୍ଥ ଫେରସ୍ତ କରାଯାଉ ଏବଂ ବାଲିମେଳା ନଗରର ସମସ୍ତ ୱାର୍ଡରେ ଥିବା ରାସନ କାର୍ଡ ହିତାଧିକାରୀଙ୍କୁ ଭୂମି ପଞ୍ଜିକରଣ ପ୍ରମାଣ ପତ୍ର ସହିତ ସଂଲଗ୍ନ କରାଯାଉ ବୋଲି ଦାବିପତ୍ର ମାଧ୍ୟମରେ ପ୍ରଦାନ କରିଥିଲେ। ଏହି ଦାବିପତ୍ର ଦେବା ସମୟରେ ସେଠାରେ ବିଜେପି ନଗର ସଭାପତି ଶୁଭାଶିଷ କର, ସମ୍ପାଦକ ସୀମାଞ୍ଚଳ ପ୍ରଧାନ, ପୂର୍ବତନ ସଭାପତି ପ୍ରଦୀପ ନାୟକ ଏବଂ ଜିଲ୍ଲା ଉପଦେଷ୍ଟା ଅରୁଣ ପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ଥିଲେ । ତେବେ ତୁରନ୍ତ ଏହି କାର୍ଯ୍ୟ ଗୁଡିକ ପ୍ରତି କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ସହ ଏନଏସି କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ବାଲିମେଳା ନଗର ବିଜେପି ପକ୍ଷରୁ ସୂଚନା ମିଳିଛି।