-
ଚାଲି ଚାଲି ନବୀନ ନିବାସ ଗଲେ ବିଜେଡି-ବିଜେପି ବିଧାୟକ
-
ମୁଖ୍ୟମନ୍ତ୍ରୀ ସାମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ମଣ୍ଡିରୁ ଧାନ ଉଠିଲେ ଗୃହ ଚାଲିବ : ବିରୋଧୀ ଦଳ ନେତା
ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ବିଜେପି ଦଳର ସଦସ୍ୟମାନେ ଆଲୋଚନା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାପାଇଁ ବାହାରିଥିଲେ । ବିଜେପି ବିଧାୟକମାନେ ବିଧାନସଭାରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଥମେ ଲୋକସେବା ଭବନ ଏବଂ ପରେ ନବୀନ ନିବାସ ଅଭିମୁଖେ ଯାଇଥିଲେ । ତାଙ୍କ ପଛେ ପଛେ ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ଶୋଭାଯାତ୍ରାରେ ନବୀନ ନିବାସ ଯାଇଥିଲେ । “ଚାଷୀର ଆତ୍ମହତ୍ୟା ପାଇଁ ଦାୟୀ କିଏ? ନବୀନ ପଟ୍ଟନାୟକ ଆଉ କିଏ”, “ ଚାଷୀର ସମସ୍ତ ଧାନ କିଣିବା ଆମର ଦାବି” , “ଚାଷୀ କାନ୍ଦୁଛି ମଣ୍ଡିରେ , ମନ୍ତ୍ରୀ ହସୁଛି ବିଧାନସଭାରେ” ଲେଖାଥିବା ପ୍ଲାକାର୍ଡ ଧରି ବିଜେପି ବିଧାୟକମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଲୋକସେବା ଓ ନୀବନ ନିବାସ ଯିବା ବେଳେ ସୁରକ୍ଷା କର୍ମୀ ମାନେ ବିଜେପି ବିଧାୟକମାନଙ୍କୁ ଅଟକାଇବାକୁ ଗେଟ୍ ବନ୍ଦ କରିଦେଇଥିଲେ । ପରେ ପାଟିତୁଣ୍ଡ ପରେ ଗେଟ୍ ଖୋଲିବାରୁ ବିଜେପି ବିଧାୟକମାନେ ଲୋକସେବା ଭବନ ଭିତରକୁ ପଶିଥିଲେ । ସେଠାରେ ଥିବା ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ବିଜେପି ବିଧାୟକମାନଙ୍କୁ ଲୋକସେବା ଭବନ ମଧ୍ୟକୁ ପାଛୋଟି ନେଲା ବେଳେ ସେମାନେ ପ୍ରତିବାଦ କରିଥିଲେ । ଏହାପରେ ସେମାନେ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ବିଜେପି ବିଧାୟକମାନେ ନବୀନ ନିବାସରେ ପହଂଚିବା ପରେ ସେଠାରେ ମଧ୍ୟ ଗେଟ୍ ବନ୍ଦ କରିଦିଆଯାଇଥିଲା । ତାର ପ୍ରତିବାଦରେ ବିରୋଧୀ ବିଧାୟକମାନେ ନବୀନ ନିବାସ ସମ୍ମୁଖରେ ଧାରଣା ଦେଇଥିଲେ । ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ଅଶୋକ ପଣ୍ଡା , ମନ୍ତ୍ରୀ ସମୀର ରଂଜନ ଦାଶ , ଟୁକୁନି ସାହୁ , ପଦ୍ମିନୀ ଦିଆନ , ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାଶ , ରୋହିତ ପୂଜାରୀ ପ୍ରମୁଖ ଧାରଣା ରତ ବିଜେପି ବିଧାୟକମାନଙ୍କୁ ଧାରଣାରୁ ଉଠିଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ । ମାତ୍ର ସେମାନେ ଧାରଣାରୁ ବିରତ ହୋଇନଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ବାହାରକୁ ଆସି ବିଜେପି ବିଧାୟକମାନଙ୍କୁ ସାକ୍ଷାତ କରିବା ସହ ଆଲୋଚନା ପାଇଁ ଭିତରକୁ ଡାକିନେଇଥିଲେ ।
କିଛି ସମୟ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି । ମଣ୍ଡିରୁ ଧାନ ଉଠାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡକାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମଣ୍ଡିରୁ ଧାନ ଉଠିଲେ ଗୃହ ଚାଲିବ । ଗୃହ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ଉଚିତ୍ ବୋଲି ସେ କହିଛନ୍ତି । ସେହିପରି ବିଜେପି ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ଧାରଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ଆସିବା ଇତିହାସରେ ପ୍ରଥମ । ମଣ୍ଡି ସମସ୍ୟା କଥା ମୁଖ୍ୟମନ୍ତ୍ରୀଙ୍କୁ କହିଲୁ । ସେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗୃହରେ ସ୍ୱାଭାବିକତା ଫେରାଇଆଣିବାକୁ ସର୍ବଦଳୀୟ ବୈଠକ ଡାକିବେ । ଏସମ୍ପର୍କରେ ସେ ବାଚସ୍ପତିଙ୍କ ସହ ଆଲୋଚନା କରିବେ । ମଣ୍ଡିରୁ ସବୁ ଧାନ ଉଠିଲେ ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବେ ବୋଲି ଶ୍ରୀ ସେଠୀ କହିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ – ବିଜେପି ବିଧାୟକଙ୍କ ଆଲୋଚନା ସୌହାଦ୍ର୍ଦ୍ୟପୂର୍ଣ୍ଣ ଥିଲା । ଗୃହ ଖୁବ୍ ଶୀଘ୍ର ସ୍ୱାଭାବିକ ହେବ ।