-
ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଓ ରତ୍ପାନୀର ପର୍ଯ୍ୟାପ୍ତ ସୁଯୋଗ ରହିଛି : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ
ମନ୍ତ୍ରୀ କହିଛନ୍ତି ଯେ ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରି ରାଜ୍ୟକୁ ମତ୍ସ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ କରିବା ସହିତ ରପ୍ତାନୀ ବୃଦ୍ଧି କରି ଅଧିକରୁ ଅଧିକ ବୈଦେଶିକ ମୁଦ୍ରା ଅର୍ଜନ କରିବା ଆମର ଲକ୍ଷ୍ୟ ହେବା ଉଚିତ୍ । ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୨.୫୯ ଲକ୍ଷ ମେଟ୍ରିକ୍ ଟନ୍ ରୁ ୮.୧୬ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି ପାଇଛି । ସେହିପରି ମତ୍ସ୍ୟ ରପ୍ତାନୀ ୩୭୯ କୋଟି ଟଙ୍କାରୁ ୩୨୪୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟର ପ୍ରାୟ ୧୪.୬୪ ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ମତ୍ସ୍ୟ କ୍ଷେତ୍ର ସହିତ ଜଡ଼ିତ ଥିବାରୁ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ମତ୍ସ୍ୟ ଅଧିକାରୀମାନେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଡଃ ସାହୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତିତ ୫ ‘ଟି’ ଓ ମୋ ସରକାରକୁ କଡ଼ାକଡ଼ି ଭାବେ ପାଳନ କରି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କଲ୍ୟାଣକାରୀ କାର୍ଯ୍ୟକ୍ରମର ସୁଫଳ ଚାଷୀମାନଙ୍କ ନିକଟରେ ସିଧାସଳଖ ପହଂଚାଇବା ପାଇଁ ମନ୍ତ୍ରୀ କହିଥିଲେ । ଏଥିସହିତ ନବନିଯୁକ୍ତ ସହକାରୀ ମତ୍ସ୍ୟ ଅଧିକାରୀମାନେ ବୃତିଗତ କର୍ତବ୍ୟ ଓ ସେବା ମନୋଭାବ ନେଇ କାର୍ଯ୍ୟଶୈଳୀରେ ଉନ୍ନତି ଓ ନିଜ ନିଜ କ୍ଷେତ୍ରରେ ନେତୃତ୍ୱ ସୃଷ୍ଟି କରିପାରିଲେ ରାଜ୍ୟର ଅଗଣିତ ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀମାନେ ବହୁଳ ଭାବରେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ ।
ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍.ରଘୁପ୍ରସାଦ କହିଲେ ନବନିଯୁକ୍ତ ଅଧିକାରୀମାନେ ମତ୍ସ୍ୟ ସମ୍ପଦ ବିକାଶ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ପ୍ରାରମ୍ଭରେ କମିଶନର ତଥା ନିର୍ଦ୍ଦେଶକ ରତ୍ନାକର ରାଉତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଉତ୍ସବରେ ବିଭାଗର ଅତିରିକ୍ତ ଶାସନ ସଚିବ ପୁରନ୍ଦର ଧାରୁଆ ଓ ମତ୍ସ୍ୟ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ କୁମାର ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।