
ଗଞ୍ଜାମ, ଆଗ ଧାଡିର କୋଭିଡ୍ ଯୋଦ୍ଧା ଭାବେ ଡାକ୍ତର ହୃଷୀକେଶ ମହାନ୍ତି ଫେବୃଆରୀ ୪ ତାରିଖରେ ବ୍ରହ୍ମପୁର ବୈକୁଣ୍ଠ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ କୋଭିଟଟୀକା ନେଇ ଥିଲେ । ଏହାର ମାସକ ପରେ ଅର୍ଥାତ୍ ଗତ ୧୨ ତାରିଖରେ ଦ୍ୱିତୀୟ ଟିକା ମଧ୍ୟ ଏହି ଡାକ୍ତରଖାନାରେ ନେଇଛନ୍ତି । ଏହାପରେ ତାଙ୍କର ଫୋନକୁ ସଂଗେସଂଗେ ଏ ସମ୍ପର୍କରେ ମେସଜ ଆସିବା କଥା । ଅପରାହ୍ନ ସୁଦ୍ଧା ମେସଜ ନଆସିବାରୁ ଡାକ୍ତର ମହାନ୍ତି ହସପିଟାଲରେ ଯାଇ ବୁଝିବାରୁ ହସପିଟାଲ କତ୍ତୃପକ୍ଷ କହିଲେ ଡେରିରେ ମେସେଜ୍ ଯିବ । କିନ୍ତୁ, ଗତ ୧୪ ତାରିଖରେ ଡାକ୍ତର ହୃଷୀକେଶ ମହାନ୍ତିଙ୍କ ଫୋନକୁ ଏକ ବିଭ୍ରାନ୍ତିକର ମେସଜ ଆସିଛି।ସେଥିରେ ଉଲ୍ଲେଖ କରାଯାଇଛି ଯେ, ଆଜି ପ୍ରଥମ କୋଭିଡ୍ ଟୀକା ଦିଆଯାଇଛି । ପୁଣି ତାଙ୍କ ନାମକୁ ମଧ୍ୟ ବିକୃତ କରି ଉଲ୍ଲେଖ କରାଯାଇଛି । ଏ ଧରଣର ଗୁରୁତର ତୃଟି ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଗଞ୍ଜାମ ଜିଲା ସିଡିଏମଓ ଘଟଣାର ତଦନ୍ତ କରି ଏ ଅକ୍ଷମଣୀୟ ତୃଟିର ତୁରନ୍ତ ସଂଶୋଧନ କରି ଡାକ୍ତର ହୃଷୀକେଶ ମହାନ୍ତି ଦ୍ୱିତୀୟ ଟୀକା ନେଇଥିବା ପ୍ରମାଣ ପତ୍ର ଦେବାକୁ ଦାବି କରାଯାଇଛି ।