
ଭୁବନେଶ୍ୱର, ଚଳିତ ବର୍ଷ ଫେବୃଆରୀ ସୁଦ୍ଧା ଖାଉଟିଙ୍କୁ ଠକୁଥିବା ଅଭିଯୋଗରେ ୩୯୭ ଜଣ ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ସେମାନଙ୍କ ଠାରୁ ୭,୧୯,୫୦୦ ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଧାୟକ ଅଶ୍ୱିନି କୁମାର ପାତ୍ରଙ୍କ ବଟକରା ଯାଂଚର ନୀତି ନିୟମ ସମ୍ପର୍କିତ ତାରକା ଚିହ୍ନିତ ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ବୈଧ ମାପ ବିଜ୍ଞାନ ନିରୀକ୍ଷକଙ୍କ ଦ୍ୱାରା ବଟକରା ନବୀକରଣ କରାଯାଇଥାଏ । ଯାଂଚ ବେଳେ ଓଜନ ଠକୁ ଥିବା ବ୍ୟବସାୟୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।