ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ରେ ଗୃହର ବୈଠକ ଆରମ୍ଭ ହେବାକୁ ଗଲାବେଳେ ପୂର୍ବ ଦିନ ମାନଙ୍କ ଭଳି ବିରୋଧୀ ଦଳ ସଦସ୍ୟମାନେ ମଣ୍ଡି ସମସ୍ୟାକୁ ନେଇ ଗୃହର ମଧ୍ୟ ଭାଗକୁ ଚାଲିଆସି ହଟ୍ଟଗୋଳ କରିଥିଲେ । ଶାସକ ଦଳ ସଭ୍ୟମାନେ ମଧ୍ୟ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଡି ବସିଥିଲେ । ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟା ଗୃହରେ ମୁହାଁମୁହିଁ ହୋଇଥିଲେ । ଏଥିରୁ ନିବୃତ ରହିବାପାଇଁ ବାଚସ୍ପତି ବାରମ୍ବାର ସଭ୍ୟମାନଙ୍କୁ ଅନୁରୋଧ କରି ବେଲ୍ ବଜାଇଥିଲେ ହେଁ ସେମାନେ କୌଣସି ଗୁରୁତ୍ୱ ଦେଇନଥିଲେ ବରଂ ହଟ୍ଟଗୋଳ ଜୋରଦାର କରିବାପାଇଁ ସ୍ଲୋଗାନ , ପ୍ରତିସ୍ଲୋଗାନ , ଆପେକ୍ଷ ଓ ପ୍ରତି ଆକ୍ଷେପ କରୁଥିବାର ଦେଖାଯାଇଥିଲା । ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୦ଟା ୩୦ ୧୫ ସେକେଣ୍ଡେରୁ ୧୧ଟା ୩୦ ଯାଏଁ , ୧୧ ଟା ୩୦ରୁ ୧୨ ଟା , ୧୨ ଟା ରୁ ୧୨ ଟା ୩୦ ଓ ୧୨ ଟା ୩୦ରୁ ୧୨ ଟା ୫୦ ଯାଏଁ ମୁଲତବୀ ରଖିଥିଲେ ।
ଗୃହ ମୁଲତବୀ ଥିବା ବେଳେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ବସିଥିଲା । ଏହି ବୈଠକରେ ମଣ୍ଡି ସମସ୍ୟା ସମ୍ପର୍କରେ ଆଲୋଚନା କରାନଯାଇ ବିଧାୟକଙ୍କ କ୍ଷମା ପ୍ରାର୍ଥନା ବିଷୟ ଉପରେ ପ୍ରଥମେ ଆଲୋଚନା କରାଯାଇଥିବାରୁ କଂଗ୍ରେସ ଦଳ ବିଧାୟକମାନେ ସର୍ବଦଳୀୟ ବୈଠକକୁ ବର୍ଜନ କରିଥିଲେ ।