-
ଶାସକ , ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ଅଚଳ
ଭୁବନେଶ୍ୱର ,ଉଭୟ ଶାସକ ଓ ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁଁ ସୋମବାର ଦିନ ବିଧାନସଭାର ପ୍ରଥମାର୍ଦ୍ଧ ବୈଠକର କୌଣସି କାର୍ଯ୍ୟକ୍ରମ ହୋଇପାରିନଥିଲା । ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ହଟ୍ଟଗୋଳ ସମୟରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହେବା , କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ନାଉରୀ ନାୟକ ବିଧାନସଭା ସଚିବଙ୍କ ଆସନରେ ଠିଆ ହୋଇ ପୋଡିୟମକୁ ବାଡେଇବା , ଫାଇବର ଗ୍ଲାସ୍ କୁ ଟାଣିବା ଆଦି ଦୃଶ୍ୟମାନ ପରିଲକ୍ଷିତ ହୋଇଥିଲା । ଏହା ବ୍ୟତୀତ କଂଗ୍ରେସ ଦଳର କିଛି ସଦସ୍ୟ ମଣ୍ଡି ସମସ୍ୟାକୁ ନେଇ “ ଭୋକରେ ମରନ୍ତି ଚାଷୀ ଏ ଦେଶେ , କିଏ ବି ପିଉଛି ବିଷ , ମୋଦିଙ୍କର ନାହିଁ ଅବଶୋଷ , ଅମ୍ବାନୀ ଆଦାନୀ ସମ୍ପତି ବଢିଲେ ତାଙ୍କର ଖିଲି ଖିଲି ହସ”, “” ଧାନ ପଡିଅଛି ମଣ୍ଡିରେ , ଚାଷୀ କାନ୍ଦୁ ଅଛି ପିଣ୍ଢାରେ “ ଲେଖାଥିବା ବ୍ୟାନର ପ୍ରଦର୍ଶନ କରିବା ବେଳେ ଶାସକ ଦଳ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ପଳାଇଆସି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ପାଇଁ କ୍ଷମା ପ୍ରାର୍ଥନା ଦାବି କରି ହୋ ହାଲ୍ଲା କରିଥିଲେ ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହ ଆରମ୍ଭ ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହକୁ ମଧ୍ୟକୁ ଆସି ଚାଷୀଙ୍କ ଠାରୁ ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ହୋହାଲ୍ଲା କରିଥିଲେ ଏବଂ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ଅନ୍ୟପକ୍ଷରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନମାଗିବା ପର୍ଯ୍ୟନ୍ତ ଗୃହ ଚାଲିପାରିବ ନାହିଁ ବୋଲି କହି ବିଜେଡି ସଦସ୍ୟମାନେ ମଧ୍ୟ ହଟ୍ଟଗୋଳ କରିଥିଲେ । ଏହି ହଟ୍ଟଗୋଳରୁ ନିବୃତ ରହିବା ପାଇଁ ବାଚସ୍ପତି ୧୦ଟା ୩୧ରୁ ୧୧ ଟା ୩୦ , ୧୧ ଟା ୩୧ ରୁ ୧୧ଟା ୪୬ ଏବଂ ୧୧ ଟା ୪୮ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ଫଳରେ ପ୍ରଶ୍ନୋତର , ଶୂନ୍ୟକାଳ ଓ ରାଜ୍ୟର ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ଘଟଣା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ସମ୍ପାଦିତ ହୋଇପାରିନଥିଲା ।