-
ଚାରି ଦୁଆର ନ ଖୋଲିଲେ ମୁଖ୍ୟ ପ୍ରଶାସକଙ୍କୁ ଘେରାଉ କରାଯିବ,
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
କରୋନା ପୂର୍ବରୁ ସ୍ଥାନୀୟ ଶ୍ରୀକ୍ଷେତ୍ର ବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦୁଆର ଧର୍ମ, ଅର୍ଥ, କାମ, ମୋକ୍ଷ ଖୋଲା ରହିଥିଲା ମାତ୍ର କରୋନା ପରେ ସମସ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିବା ବେଳେ ପୁରୀବାସୀଙ୍କ ନିମନ୍ତେ ଚାରିଦୁଆର ଖୋଲିବା ନେଇ ପ୍ରଶାସନ ଓ ସରକାରଙ୍କ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଦୁଃଖ ବୃଦ୍ଧି ପାଉଛି |ନିୟମ ଭଙ୍ଗ କରି ବେଆଇନ ଭାବେ ଅଭିନେତ୍ରୀ କଙ୍ଗନା ରାଣାୱାତ ଙ୍କ ପାଇଁ ପ୍ରଶାସନ ଓ ସରକାର ସବୁ ନିୟମକୁ ଜଳାଞ୍ଜଳି ଦେଇ ତାଙ୍କୁ ସିଂହଦ୍ୱାର ବାଟେ ପ୍ରବେଶ ଓ ସେହି ସିଂହଦ୍ୱାର ବାଟେ ପ୍ରସ୍ଥାନ କରାଇଥିଲେ |ଏପରିକି ଭିଆପି ମାନଙ୍କ ନିମନ୍ତେ ମଧ୍ୟ ସିଂହଦ୍ୱାର ବାଟେ ପ୍ରବେଶ ଓ ସେହି ସିଂହଦ୍ୱାର ବାଟେ ପ୍ରସ୍ଥାନ ଜାରିରହିଥିବା ବେଳେ ପୁରୀବାସୀଙ୍କୁ ଓ ସବୁଦିନିଆ ଭକ୍ତ ମାନଙ୍କ ପାଇଁ କାହିଁକି ଏତେ ଦେଖେଇ ହେଉଛନ୍ତି |ଏହି ଘଟଣାକୁ ନେଇ ବିଗତ ଦିନରେ ସାରା ଶ୍ରୀକ୍ଷେତ୍ରରେ ବ୍ୟାପକ ଆନ୍ଦୋଳନ ହେବା ସହ ଧାର୍ମିକ ଅଧିକାର ପାଇବାକୁ ପୁରୀରେ ଭୀଷଣ ଦଙ୍ଗା ମଧ୍ୟ ହୋଇଥିଲା |ଏହି ଘଟଣାରେ ଶହ ଶହ ଭକ୍ତ, ଶିକ୍ଷକ, ସରକାରୀ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ଓକିଲ, ସମାଜସେବୀ, ସେବାୟତ, ବ୍ୟବସାୟୀ, ଅଟୋଚାଳକ, ଶ୍ରମିକ ଓ କୃଷକ ଜେଲ ଯାଇ କରାବାରଣ କରିଥିଲେ ଓ ପୁରୀର ଶାସକ ମଧ୍ୟ ବଦଳି ଥିଲେ |ସ୍ଥାନୀୟ ଲୋକଙ୍କର ଦିନଭିତରେ ବହୁତ ଥର ଶ୍ରୀମନ୍ଦିରରେ କାର୍ଯ୍ୟ ପଡିଥାଏ |ଏପରିକି ବିଭିନ୍ନ ସାହି ଓ ଜାଗା ଘର ମାନଙ୍କରେ ଥିବା ଠାକୁରାଣୀ ଓ ମହାବୀରଙ୍କ ପାଇଁ ଶ୍ରୀମହାପ୍ରସାଦ ଦରକାର ହେଉଥିବା ବେଳେ ନିଜେ ନିଜ ଘର ଓ ପରିବାର ପାଇଁ ଭଲ ମନ୍ଦ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର କୁ ଯିବାକୁ ପଡିଥାଏ |ଯାହା ଏବେ ବଡ କଷ୍ଟକର ହେଉଛି |ସ୍ଥାନୀୟ ଭକ୍ତମାନେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ବିଭିନ୍ନ ସମୟରେ ଯାଇଥାନ୍ତି ଯଥା ମଙ୍ଗଳ ଆରତୀ, ଦ୍ବିପହର ଧୂପ, ସନ୍ଧ୍ୟାଧୁପ,, ସନ୍ଧ୍ୟା ଆରତୀ, ବଡସିଂହାର ବେଶ ଦର୍ଶନ କରିଥାନ୍ତି ଓ ଏଥିପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଯିବାକୁ ପଡୁଥିବାରୁ ଏମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି |ଆମ୍ଭର ବାରମ୍ବାର ଆନ୍ଦୋଳନ ସତ୍ୱେ କାହାରି ନିଦ ଭାଙ୍ଗୁନି |ତୁରନ୍ତ ଚାରିଦୁଆର ନ ଖୋଲିଲେ ମୁଖ୍ୟ ପ୍ରଶାସକଙ୍କୁ ଘେରାଉ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି |