ସେ କହିଛନ୍ତି ଯେ ରାଜ୍ୟବାସୀଙ୍କ ସହଯୋଗରେ ଓଡ଼ିଶା କରୋନା ନିୟନ୍ତ୍ରଣରେ ଆଜି ଭଲ ସ୍ଥିତିରେ ରହିଛି । ଏ ଦିଗରେ ଆମ ପଦକ୍ଷେପକୁ ‘ହୁ’ ମଧ୍ୟ ପ୍ରଶଂସା କରିଛି । ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି । ଶୂନ୍ୟ ସଂକ୍ରମଣ ଆମର ଲଖ୍ୟ । ମୁଁ ଆଗରୁ କହିଛି, ଏବେ ମଧ୍ୟ ପୁଣି ଥରେ କହୁଛି ରୋଗ କ୍ଷେତ୍ରରେ ଆତ୍ମ ସନ୍ତୋଷ ଠିକ ନୂହେଁ କାରଣ ବିପଦ ଏବେ ବି ଟଳି ନାହିଁ ।
ସେ କହିଛନ୍ତି ଯେ ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି । ମହାରାଷ୍ଟ୍ରର କେତେକ ଅଂଂଚଳରେ ଲକଡାଉନ ପୁଣି ଫେରିଛି । ଲକଡାଉନ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି । ଆମର ଅର୍ଥନୀତି, ଆମର ସାମାଜିକ ଜୀବନ, ପିଲାମାନଙ୍କ ପାଠ ପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି । ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତମାନ ସ୍ୱଭାବିକ ଅବସ୍ଥା ଫେରିଛି । ଆମେ କେହି ଲକଡାଉନକୁ ଫେରିବାକୁ ଚାହୁଁ ନାହୁଁ । ଆଉ ଲକଡାଉନକୁ ନ ଫେରିବାର ଗୋଟିଏମାତ୍ର ଉପାୟ ହେଉଛି ସତର୍କତା । ଆମେ ସତର୍କ ରହିଲେ ଲକଡାଉନ ଭଳି ସ୍ଥିତି ଉପୁଜିବ ନାହିଁ । ତେଣୁ ମୋର ଅନୁରୋଧ ଆମେ ସମସ୍ତେ ପୂର୍ବଭଳି କୋଭିଡ଼ ଗାଇଡଲାଇନକୁ କଡ଼ା କଡ଼ି ଭାବରେ ପାଳନ କରିଚାଲିବା ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ – ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧିବା । ବେକରେ ଝୁଲାଇକରି ନୁହେଁ, ଠିକ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ପିନ୍ଧିବା । ଘରକୁ ଫେରିଲେ ସାବୁନରେ ଭଲକରି ହାତ ଧୋଇବା । ମୁଁହ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ । ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବା ନାହିଁ ।
ବର୍ତମାନ କରୋନା ପାଇଁ ଟୀକା କରଣ ଆମ ରାଜ୍ୟରେ ସଫଳ ଭାବରେ ଚାଲିଛି । ଏ ଦିଗରେ ମୁଁ ଆପଣମାନଙ୍କର ସହଯୋଗ କାମନା କରୁଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ – କରୋନା ବିରୁଦ୍ଧରେ ଆମର ଲଢ଼େଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ । ସେମାନଙ୍କର ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହିଁ । ସେହି ଯୋଦ୍ଧାମାନଙ୍କର ବଳିଦାନକୁ ଆମେ କେବେ ବି ବ୍ୟର୍ଥ ଯିବାକୁ ଦେବା ନାହିଁ । ସତର୍କ ରହିବା ହିଁ ସହିଦ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଂଜଳି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ – କରୋନା ନିୟମାବଳୀର ଅନୁପାଳନକୁ କଡ଼ାକଡ଼ିଭାବରେ ତଦାରଖ କରିବା ପାଇଁ ମୁଁ ପ୍ରଶାସନ ଓ ପୋଲିସ କୁ ନିର୍ଦ୍ଦେଶ ଦେଇଛି । ଆମେ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ ।ସେ କହିଛନ୍ତି ଯେ ରାଜ୍ୟବାସୀଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି । ସେମାନେ ତାଙ୍କର ଅନୂରୋଧ ରକ୍ଷା କରିବେ ଏବଂ ସତର୍କ ରହିବେ ସମସ୍ତେ ମିଶି ଶୂନ୍ୟ ସଂକ୍ରମଣ ଲକ୍ଷ୍ୟ ହାସଲ କରିପାରିବା ବୋଲି ସେ କହିଛନ୍ତି ।