
କେନ୍ଦ୍ରାପଡ଼ା- ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ ଓ ସ୍କୁଲ୍ ପରିଚାଳନା ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା । ଜିଲ୍ଲାର ଯେଉଁ ବିଦ୍ୟାଳୟ ଗୁଡିକ ବିଭିନ୍ନ କାରଣରୁ ଏପର୍ଯ୍ୟନ୍ତ ବିଦ୍ୟୁତୀକରଣ କରାଯାଇନାହିଁ ସେହି ବିଦ୍ୟାଳୟ ମାନଙ୍କୁ ୭ ଦିନ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦେବାପାଇଁ ଜିଲ୍ଲାପାଳ ଶ୍ରୀ ବର୍ମା ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ମଧ୍ୟାହ୍ନ ଭୋଜନ ପ୍ରସ୍ତୃତି, ମଧ୍ୟାହ୍ନ ଭୋଜନ ଗୃହ ନିର୍ମାଣ ଅଗ୍ରଗତି, ନିୟମିତ ସ୍କୁଲ୍ ପରିଦର୍ଶନ କରାଯାଇ ଶିକ୍ଷାଦାନର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗକୁ ଜିଲ୍ଲାପାଳ ତାଗିଦା କରିଥିବା ଜଣାପଡିଛି । ଏହାସହ ଶୈାଚାଳୟ ଗୁଡିକର ପରିଷ୍କାର ପରିଚ୍ଛନ୍ନତା ଓ ସ୍କୁଲ୍ ପରିସରର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ବିଦ୍ୟାଳୟରେ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା କରାଯାଇନାହିଁ ଏହିସବୁ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣି ଯୋଗାଇ ଦେବାକୁ ଶିକ୍ଷା ବିଭାଗ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଚଳ ଟ୍ୟୁବ୍ୱେଲ୍ ଗୁଡିକୁ ତୁରନ୍ତ ସଜାଡିବା ସହ ନୂତନ ଟ୍ୟୁବ୍ୱେଲ୍ ସ୍ଥାପନ ପାଇଁ ପଦକ୍ଷେପ ନେବା ପାଇଁ ଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ବୈଠକରେ ବାଲିଆ ଡାଏଟ୍ର ଅଧ୍ୟକ୍ଷ ଡଃ. ମୀନାକ୍ଷୀ ମହାପାତ୍ର, କେନ୍ଦ୍ରାପଡା ଏବିଓ ଭାଗିରଥି ନନ୍ଦଙ୍କ ସମେତ ଜିଲ୍ଲାର ୯ଟି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ ଓ ସହ ବ୍ଲକ ଶିକ୍ଷା ଅଧିକାରୀ ତଥା ସର୍ବଶିକ୍ଷା ଅଭିଯାନର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।