-
ଧାନ କିଣାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ
-
କ୍ଷମା ମାଗନ୍ତୁ ସୁବାସ ପାଣିଗ୍ରାହୀ : ଶାସକ ଦଳ ସଭ୍ୟ
ଶନିବାର ଦିନ ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ଦଳର ସଦସ୍ୟ ମାନେ ନିଜ ନିଜ ଆସନ ଛାଡି ଗୃହର ମଧ୍ୟଭାଗକୁ ପଳାଇ ଆସି ଚାଷୀ ମାନଙ୍କ ଠାରୁ ଧାନ କିଣା ନ ଯିବା ପ୍ରସଙ୍ଗକୁ ନେଇ ହୋ ହାଲ୍ଲା କରିଥିଲେ । ଅପରପକ୍ଷରେ ଶାସକ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ବିଜେପି ସଭ୍ୟ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା କରିବାର ପ୍ରୟାସ ସମ୍ପର୍କିତ ପ୍ରସଙ୍ଗ ଉଠାଇ କହିଥିଲେ ଯେ ବିଧାନସଭାକୁ ଲୋକ ମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ପଠାଇଛନ୍ତି । ଲୋକ ମାନେ ଆତ୍ମହତ୍ୟା କରିବାକୁ ବିଧାନସଭାକୁ ବିଧାୟକ ମାନଙ୍କୁ ପଠାଇ ନାହାନ୍ତି । ବିଜେପି ସଭ୍ୟ ଯେଉଁ ଆତ୍ମହତ୍ୟାର ପ୍ରୟାସ କଲେ ତାହା ନିନ୍ଦନୀୟ । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତି ଓ ଦଳର ନିଷ୍ପତି ତାହା ସ୍ପଷ୍ଟ ହେବା ଦରକାର । ସେ ଏଥି ପାଇଁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ । ବିରୋଧୀ ଦଳ ଏହାକୁ ନେଇ ଭୁଲ ମାଗିବା ଦରକାର । ଯେପର୍ଯ୍ୟନ୍ତ ବିରୋଧୀ ଦଳ ଏହାକୁ ନେଇ ଭୁଲ ମାଗି ନାହାନ୍ତି ସେ ପର୍ଯ୍ୟନ୍ତ ଗୃହ ଚାଲି ପାରିବ ନାହିଁ ବୋଲି ସେ କହିଥିଲେ । ଏହା ପରେ କେତେକ ମନ୍ତ୍ରୀ ଓ ଶାସକ ଦଳର ସଭ୍ୟ ମାନେ ମଧ୍ୟ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
୧୧.୩୦ରେ ପୁଣି ଥରେ ବୈଠକ ଆରମ୍ଭ ହୋଇଥିଲା । ହେଲେ ସେତେବେଳେ ମଧ୍ୟ ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା ଓ ପରିସ୍ଥିତିରେ କୌଣସି ପ୍ରକାର ଉନ୍ନତି ଘଟି ନ ଥିଲା । ବିରୋଧୀ ଦଳର ସଦସ୍ୟ ମାନେ ଚାଷୀ ସମସ୍ୟାକୁ ନେଇ ସେମାନଙ୍କର ଜିଦରେ ଅଟଳ ରହି ଥିବା ବେଳେ ଶାସକ ଦଳର ସଦସ୍ୟ ମାନେ ବିରୋଧୀ ଦଳ ତରଫରୁ କ୍ଷମା ମାଗିବା ଦାବି କରି ଗୃହ ମଧ୍ୟ ଭାଗକୁ ପଳାଇ ଆସିଥିଲେ । ବାଚସ୍ପତି ସମସ୍ତଙ୍କୁ ନିଜ ନିଜ ଆସନକୁ ଫେରି ଯିବାକୁ ଅନୁରୋଧ କରି ବିଫଳ ହୋଇ ଥିଲେ । ଏହା ପରେ ସେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।