
ଭୁବନେଶ୍ୱର, ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କର କୌଣସି ବାର୍ଷିକ ପରୀକ୍ଷା କରାନଯାଇ ସେମାନଙ୍କୁ ଉତୀର୍ଣ କରା ଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି । ତେବେ ଏନେଇ ବିଧିବଦ୍ଧ ନିଷ୍ପତି ନିଆଯାଇ ନ ଥିଲେ ବି ଆପାତତଃ ତାହା ସ୍ଥିର ହୋଇଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କର ଆଉ କ୍ଲାସ ହେବ ନାହିଁ । ବର୍ତମାନ ପରିସ୍ଥିତିରେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଏଣୁ ଗତବର୍ଷ ଭଳି ଏ ବର୍ଷ ବି ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଯାଏଁ ସବୁ ଛାତ୍ରଛାତ୍ରୀମାନେ ପରବର୍ତୀ ଶ୍ରେଣୀକୁ ଉତୀର୍ଣ୍ଣ ହେବେ । ତେବେ ନବମ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କର କ୍ଲାସ୍ ଚାଲୁଥିବା ହେତୁ ସେମାନଙ୍କର ଅଫଲାଇନରେ ପରୀକ୍ଷା କରାଯିବ । ଆଗାମୀ ଏପ୍ରିଲ ମାସରେ ସ୍କୁଲ ଖୋଲାଯିବ କି ନାହିଁ , ସେଥିନେଇ କୌଣସି ନିଷ୍ପତି ହୋଇନଥିବା ସେ କହିଛନ୍ତି । ଏପ୍ରିଲରେ ଆରମ୍ଭ ହେବାକୁ ଥିବା ନୂତନ ଶିକ୍ଷାବର୍ଷ ଜୁନ୍ ମାସରେ ଆରମ୍ଭ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଖରା ଏବଂ କରୋନା ମହାମାରୀକୁ ନଜରରେ ରଖି ଏପ୍ରିଲ ପରିବର୍ତେ ଜୁନ୍ ମାସରେ ଏହାକୁ ଆରମ୍ଭ କରିବାକୁ ବିଚାରବିମର୍ଶ ହେଉଛି ବୋଲି ସେ ସୂଚନା ଦେଇଛନ୍ତି ।