
ପିପିଲି, ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ଫାଣ୍ଡି ଅଂଚଳରେ ରହିଥିବା ବାବା ବୁଦ୍ଧେଶ୍ୱରଙ୍କ ନିକଟରେ ଆଜି କୋଭିଡ଼୍ କଟକଣାକୁ ଅନୁପାଳନ ପୂର୍ବକ ଜାଗର ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହେଉଛି । ଭକ୍ତ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ ପୂର୍ବକ ମୁହଁରେ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷା କରି ବାବା ବୁଦ୍ଧେଶ୍ୱରଙ୍କ ଦର୍ଶନ କରିଥିଲେ । ମହାଦେବଙ୍କ ନିକଟରେ ବେଲପତ୍ର, ଜଳ, କ୍ଷୀର ଲାଗି କରିଥିବା ଦେଖିବାକୁ ମିଳିଥିଲା । ମନ୍ଦିର ପରିସରରେ ରହିଥିବା ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ନିକଟରେ ମଧ୍ୟ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ସାତଶଙ୍ଖ, ଯଶୁଆପୁର, ସୁବଳ ପୁର, କଳାମାଟି ସାହି, ଶିରିଆପୁର, ଆଠବାଟିଆ, ପଦାସାହି, ବାଟିଗୋରଡ଼ା, ପୁରୋହିତପୁର, ଉତରାୟଣୀ ସାହି, ବୀରପୁରୁଷୋତମ ପୁର ଶାସନ ଆଦି ଗ୍ରାମର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ଏହି ଅବସରରେ ମନ୍ଦିର ପରିସରରେ ଯଜ୍ଞର ଆୟୋଜନ ହୋଇଛି । ଆଜି ସଂନ୍ଧ୍ୟାରେ କୋଭିଡ଼୍ କଟକଣାକୁ ମାନି ମନ୍ଦିର ପରିସରରେ ଭକ୍ତ ମାନେ ଜାଗର ଜାଳି ପାରିବେ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସାତଶଙ୍ଖ ଫାଣ୍ଡି ଓ ପିପିଲି ଥାନା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।