କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତ୍ରିପୁରାବାସୀ ଏବେ ୩୦ ବର୍ଷର ପୂର୍ବତନ ସରକାର ଏବଂ ବର୍ତ୍ତମାନର ଉବଲ ଇଂଜିନ ସରକାରର ମଧ୍ୟରେ ପାର୍ଥକ୍ୟ ଅନୁଭବ କରୁଛନ୍ତି । ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଦୁର୍ନୀତି ଓ କମିସନି ସଂସ୍କୃତିର ଅବସାନ ଘଟିଛି ଏବଂ ହିତାଧିକାରୀଙ୍କ ବ୍ୟାଙ୍କଖାତାରେ ସରକାରୀ ଲାଭ ସିଧାସଳଖ ପହଞ୍ଚୁଛି । ସେ ଆହୁରି କହିଛନ୍ତି ଯେ ଯେଉଁ କର୍ମଚାରୀମାନେ ନିୟମିତ ବେତନ ପାଇବାରେ ହରକତ ହେଉଥିଲେ ସେମାନଙ୍କୁ ଏବେ ଠିକ୍ ସମୟରେ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁସାରେ ଦରମା ମିଳୁଛି । ପ୍ରଥମଥର ପାଇଁ ତ୍ରିପୁରାରେ ଏମ୍ଏସ୍ପି\ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଆଗରୁ ଏହା ନ ଥିବାରୁ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବିକିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଗରୁ ରାଜ୍ୟରେ ଯେଉଁ ଧର୍ମଘଟ ସଂସ୍କୃତି ଥିଲା ତାହାର ଅବସାନ ଘଟିଛି ଏବଂ ବାଣିଜ୍ୟ ବ୍ୟବସାୟ ଓ ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ରାଜ୍ୟରେ ନୂଆ ନୂଆ ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶ ହେଉଛି । ଅଳ୍ପଦିନ ମଧ୍ୟରେ ତ୍ରିପୁରାର ରପ୍ତାନୀ ବାଣିଜ୍ୟ ୫ ଗୁଣ ବଢିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୬ ବର୍ଷ ମଧ୍ୟରେ ତ୍ରିପୁରାର ବିକାଶ ପାଇଁ କେନ୍ଦ୍ର ସରକାର ସବୁମନ୍ତେ ଉଦ୍ୟମ କରିଆସୁଛନ୍ତି । ରାଜ୍ୟକୁ ସର୍ବାଧିକ କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯାଇଛି । ୨୦୦୯ରୁ ୨୦୧୪ ଯାଏଁ କେନ୍ଦ୍ରୀୟ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ତ୍ରିପୁରାକୁ ୩୫୦୦ କୋଟି ଟଙ୍କା ମିଳିଥିବାବେଳେ ୨୦୧୪ରୁ ୨୦୧୯ ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ୧୨ ହଜାର କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଡବଲ ଇଂଜିନ ସରକାରର ଲାଭ ଓ ଗୁରୁତ୍ୱ ସଂପର୍କରେ ଏହି ଅବସରରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଯେଉଁ ରାଜ୍ୟରେ ଡବଲ ଇଂଜିନ ସରକାର ନାହିଁ ସେଠାରେ ବିକାଶମୂଳକ ଯୋଜନା କାର୍ଯ୍ୟକାରିତା ବିଳମ୍ବିତ ହେଉଛି । ଫଳରେ ଗରିବ, କୃଷକ ଓ ମହିଳାମାନେ ଯୋଜନାରୁ ବଞ୍ଚିତ ହେଉଛନ୍ତି । ତ୍ରିପୁରାରେ ଡବଲ ଇଂଜିନ ସରକାର ଥିବାରୁ ଏହି ରାଜ୍ୟ ଲାଭବାନ ହୋଇଛି । ଏହାଦ୍ୱାରା ତ୍ରିପୁରାର ରୂପରେଖ ମଧ୍ୟ ବଦଳିଛି । ଏକଦା ବିଜୁଳି ନିଅଣ୍ଟିଆ ରାଜ୍ୟଭାବେ ପରିଚିତ ତ୍ରିପୁରା ଏବେ ଏ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି । ଡବଲ ଇଂଜିନ ସରକାର ଦ୍ୱାରା ତ୍ରିପୁରାର ଆଉ ଯେଉଁ ଲାଭ ହୋଇଛି ତାହାର ଏକ ଲମ୍ବା ବିବରଣୀ ସେ ଦେଇଥିଲେ । ରାଜ୍ୟରେ ୨ ଲକ୍ଷ ଗ୍ରାମୀଣ ଘରକୁ ପାଇପ ଯୋଗେ ପାନୀୟ ଜଳଯୋଗାଣ, ୨.୫ ଲକ୍ଷ ଲୋକଙ୍କୁ ମାଗଣା ଗ୍ୟାସ୍ ସଂଯୋଗ, ରାଜ୍ୟର ସବୁ ଗାଁକୁ ବାହ୍ୟ ମଳତ୍ୟାଗ ମୁକ୍ତ କରିବା, ୫ ହଜାର ଗର୍ଭବତୀଙ୍କୁ ମାତୃବନ୍ଦନା ଯୋଜନାରେ ସାମିଲ କରାଇବା ଏବଂ ୪୦ ହଜାର ଗରିବ ପରିବାରକୁ ନୂଆ ଘର ଯୋଗାଇବା ଆଦି ବିଷୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ଯୋଗାଯୋଗ ଓ ସଂଯୋଗଜନିତ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଗତି ସାଧିତ ହୋଇଛି । ବିମାନ ବନ୍ଦର, ଇଣ୍ଟରନେଟ ସଂଯୋଗ, ରେଳଲିଙ୍କ୍, ଜଳପଥ ଆଦି ସେଥିମଧ୍ୟରୁ ଅନ୍ୟତମ । ହିରା ଯୋଜନାରେ ରାଜ୍ୟରେ ହାଇୱେ, ଆଇ ୱେ, ରେଳୱେ ଓ ଏୟାର ୱେର ଉଲ୍ଲେଖନୀୟ ପ୍ରଗତି ଘଟିଛି ବୋଲି ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସଂଯୋଗ ବ୍ୟବସ୍ଥା ଦ୍ୱାରା କେବଳ ଭାରତ-ବାଂଲାଦେଶ ମଧ୍ୟରେ ବନ୍ଧୁତା ସୁଦୃଢ ହେବନାହିଁ, ଏହା ମଧ୍ୟ ବ୍ୟବସାୟକୁ ଉତ୍ତମ ସୁବିଧା ସୁଯୋଗ ଯୋଗାଇବ । ଉତ୍ତର ପୂର୍ବାଞ୍ଚଳ ଏବଂ ବାଂଲାଦେଶ ମଧ୍ୟରେ ସମଗ୍ର ତ୍ରିପୁରାକୁ ଏକ ବାଣିଜ୍ୟ କରିଡରଭାବେ ବିକଶିତ କରିବା ପାଇଁ କାର୍ଯ୍ୟ ଚାଲିଛି । ଏହି ମୈତ୍ରୀ ସେତୁ ଦ୍ୱାରା ଦୁଇଦେଶ ମଧ୍ୟରେ ରେଲ ଏବଂ ଜଳସଂଯୋଗ ବ୍ୟବସ୍ଥା ଅଧିକ ସୁଦୃଢ ହୋଇଛି । ଏହା ଫଳରେ ଆସାମ, ମିଜୋରାମ, ମଣିପୁର ଆଦି ରାଜ୍ୟ ତ୍ରିପୁରା ଦେଇ ବାଂଲାଦେଶ ସହିତ ସଂଯୁକ୍ତ ହୋଇପାରିବେ । ଏହା ମଧ୍ୟ ସଂପୃକ୍ତ ଅଞ୍ଚଳରେ ଆର୍ଥିକ ସୁବିଧା ସୁଯୋଗ ସୃଷ୍ଟି କରିବ । ଏହି ସେତୁ ପ୍ରକଳ୍ପ ସଂପୂର୍ଣ୍ଣ କରିବାରେ ବାଂଲାଦେଶ ସହଯୋଗ କରିଥିବାରୁ ଶ୍ରୀ ମୋଦୀ ସେଠା ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ବାଂଲାଦେଶ ଗସ୍ତ ଅବସରରେ ଏହି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏବେ ଉତ୍ତର ପୂର୍ବାଞ୍ଚଳକୁ ସାମଗ୍ରୀ ପଠାଇବା ପାଇଁ ଲୋକଙ୍କୁ ଆଉ କେବଳ ସଡକପଥରେ ନିର୍ଭର କରିବାକୁ ପଡିବ ନାହିଁ । ସେମାନଙ୍କୁ କେବଳ ନଦୀ ଓ ସାମୁଦ୍ରିକପଥ ଉପଲବ୍ଧ ହେବ । ଏକ ନଦୀପଥ ଦେଇ ତ୍ରିପୁରାରୁ ଚଟଗ୍ରାମ ବନ୍ଦରକୁ ସଂଯୋଗ କରିବା ପାଇଁ ଏକ ପ୍ରକଳ୍ପ ହାତକୁ ନିଆଯାଇଛି । ସବ୍ରୁମ୍ରେ ନିର୍ମାଣାଧୀନ ଆଇପିସି ଏକ ପୂର୍ଣ୍ଣାଙ୍ଗ ପଣ୍ୟାଗାର ଓ କ୍ଷୁଦ୍ର ବନ୍ଦରଭାବେ କାର୍ଯ୍ୟ କରିବ