ଗ୍ରାମ୍ୟ ଜଳ ଯୋଗାଣ ଓ ସ୍ୱଚ୍ଛତା (ଆରଡବ୍ଲୁଏସ ଆଣ୍ଡ ଏସ) ବିଭାଗ, ଓଡିଶାଙ୍କ ପକ୍ଷରୁ ନଭେମ୍ବର ୧ରୁ ନଭେମ୍ୱର ୩୦,୨୦୨୦ ପର୍ଯ୍ୟନ୍ତ ଏକ ମାସ ଯାଏଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ପାଇଁ ହ୍ୟାଣ୍ଡପମ୍ପ, ଟ୍ୟୁବଓ୍ୱେଲ, କୂଅ ଭଳି ୪ ଲକ୍ଷ ଜଳଉତ୍ସ ପରୀକ୍ଷଣ ହୋଇଥିଲା । ଏସଏଚଜି ସଦସ୍ୟାମାନେ ଲୋକଙ୍କ ଆଗରେ ନମୂନା ସଂଗ୍ରହ ଓ ପରୀକ୍ଷଣ କରିବା ସହ ଜଳ ଉତ୍ସ ପ୍ରଦୂଷଣ ସମ୍ପର୍କରେ ସଚେତନ କରିଥିଲେ । ବ୍ୟାକ୍ଟେରିଆ କିମ୍ବା ରାସାୟନିକ ପ୍ରଦୂଷିତ ନମୁନାଗୁଡିକୁ ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ପରୀକ୍ଷାଗାରକୁ ଅଧିକ ପରୀକ୍ଷଣ ପାଇଁ ପଠା ଯାଇଥିଲା ।
ଏହି ଦକ୍ଷତା ବୃଦ୍ଧି ଅଭିଯାନ ଯୋଗୁଁ ସାକ୍ଷରତା ହାର କମଥିବା ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ ଭଳି ଅଞ୍ଚଳର ମହିଳାମାନେ ଏଫଟିକେ ବ୍ୟବହାର କରି ଜଳ ଉତ୍ସ ପରୀକ୍ଷଣ କରି ପାରୁଛନ୍ତି । କୋଭିଡ- ୧୯ ମହାମାରୀ ବେଳେ ଜଳ ଉତ୍ସ ପରୀକ୍ଷଣ କରାଇବା ବିଭାଗ ପାଇଁ ଆହ୍ୱାନପୂର୍ଣ୍ଣ ଥିଲା । ୧୨ ହଜାର ଆତ୍ମନିର୍ଭରଶୀଳ ମେକାନିକ (ଏସଇଏମ) ଓ ୧୧ ହଜାରରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଜଳ ଯୋଦ୍ଧା ଭାବେ ତାଲିମ ସାଙ୍ଗକୁ ୭ ହଜାର ଏଫଟିକେ ପ୍ରଦାନ କରାଯାଇଥିଲା । ଆରଡବ୍ଲୁଏସ ଆଣ୍ଡ ଏସ, ଓଡିଶାଙ୍କ ରାଜ୍ୟ ଜଳ ପରୀକ୍ଷାଗାର ୧୦୫ ଲ୍ୟାବ କର୍ମଚାରୀ ଓ ୩୧୪ କନିଷ୍ଠ ଯନ୍ତ୍ରୀଙ୍କୁ ନେଇ ଏକ ରିସୋର୍ସ ପର୍ସନ ପୁଲ ତିଆରି କରିଥିଲେ । ଏସଇଏମ ଓ ଏସଏଚଜିଗୁଡିକୁ ଅଭିଯାନରେ ଦିଗଦର୍ଶନ ଦେବାରେ ଏହି ରିସୋର୍ସ ପର୍ସନମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଫଳସ୍ୱରୂପ ଜଳଯୋଦ୍ଧାଙ୍କ ଦ୍ୱାରା ୩ ଲକ୍ଷ ଜଳ ଉତ୍ସ ପରୀକ୍ଷଣ ହୋଇ ପାରିଥିଲା । ଏବେ ବିଭାଗରେ ବର୍ଷକୁ ଥରେ ରାସାୟନିକ ଓ ଦୁଇଥର ବ୍ୟାକ୍ଟେରିଆ ପରୀକ୍ଷଣ ପାଇଁ ୧୧ ହଜାର କୁଶଳୀ ମହିଳା କ୍ୟାଡର ରହିଛନ୍ତି । ଜଳ ଜୀବନ ମିଶନ ଅନ୍ତର୍ଗତ ଆରମ୍ଭ ହୋଇଥିବା ଏହି ଉପକ୍ରମ ପାନୀୟ ଜଳ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ପାଇଁ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବ ।