ଭଦ୍ରକ, ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଶାସନିକ ନିଷ୍ପତି ପ୍ରକାରେ ଭଦ୍ରକ ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେବାକୁ ଯାଉଛି ଜାଗର ଯାତ୍ରା । କେବଳ ମନ୍ଦିର ସେବାୟତ ମାନେ କୋଭିଡ଼୍ କଟକଣା ଅନୁଯାୟୀ ସମସ୍ତ ନୀତିକାନ୍ତି କରିବେ । ଏଥି ପୂର୍ବରୁ ସମସ୍ତ ସେବାୟତଓ ସେବାକାରୀଙ୍କ କୋଭିଡ଼୍ ଟେଷ୍ଟ କରାଯିବ । ଏହା ବ୍ୟତୀତ ସମସ୍ତ ସେବାୟତ ମନ୍ଦିର ମଧ୍ୟରେ ସେବା ପୂଜା ବେଳେ ମୁହଁରେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତ୍ୱ ଓ କୋଭିଡ଼୍ କଟକଣାକୁ ଅନୁପାଳନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଜାଗରଯାତ୍ରା ପ୍ରସ୍ତୁତି ନେଇ ପ୍ରଶାସନ ପକ୍ଷରୁ ଆରଡ଼ି ପୀଠର ଅତିଥି ନିବାସରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ତଥା ମନ୍ଦର ଟ୍ରଷ୍ଟି ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ଦିରର ପାଳିଆ ସେବାୟତ, ମହାଦ୍ୱୀପ ସେବାୟତ ମାନଙ୍କ ସହିତ ଅନ୍ୟ ନିଯୋଗର ସେବାୟତ ମାନେ ଉପସ୍ଥିତ ଥିଲେ । ବୈଠକରେ ଜାଗର ଯାତ୍ରା ଦିନ ମଣିବାବାଙ୍କ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ନୀତି ନିର୍ଘଂଟ ସ୍ଥିର ହୋଇଥିଲା । ରାତି ୩ଟାରେ ମହାଦ୍ୱୀପ ପ୍ରସ୍ତୁତି ଗୁପ୍ତ ଶୋଡ଼ଷ ପୂଜା ଓ ଭୋର୍ ସାଢ଼େ ୪ଟାରେ ମହାଦ୍ୱୀପ ଉଠିବ । ବୈଠକରେ ନିଷ୍ପତି ପ୍ରକାରେ ପୀଠକୁ ଅଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ବଳବତର ରହିବ । ଏହି କଟକଣା ୧୦ ତାରିଖ ଅର୍ଥାତ୍ ଆସନ୍ତା କାଲି ସକାଳ ୭ଟା ଠାରୁ ୧୨ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଳବତର ରହିବ । କେବଳ ମନ୍ଦିର ସେବାୟତ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ କରିବା ସହ ପରମ୍ପରା ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ସମସ୍ତ ନୀତିକାନ୍ତି ସମାପନ କରିବେ ।