ବାରିପଦା, ବିଶ୍ୱ ବିଖ୍ୟାତ ଶିମିଳିପାଳରେ ଜାରି ରହିଥିବା ଭୟାବହ ଅଗ୍ନିକାଣ୍ଡକୁ ତୁରନ୍ତ ରୋକାଯିବା ସାଙ୍ଗକୁ ଏହାର ହୃତଗୌରବକୁ ପୁର୍ନଉଦ୍ଧାର କରାଯିବା ଓ ଶିମିଳିପାଳର ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟର ଉପକ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ ପତିଙ୍କ ସମେତ ଅନ୍ୟ ସମସ୍ତ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ଚାକିରୀରୁ ବହିଷ୍କାର ଦାବୀ କରିଛି ଭଞ୍ଜସେନା । ଏନେଇ ମାର୍ଚ୍ଚ ୧୦ ତାରିଖ ଅର୍ଥାତ୍ ଆସନ୍ତା କାଲି ହେବାକୁ ଥିବା ମୟୂରଭଞ୍ଜ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରାଇବା ଉଦ୍ଦେଶ୍ୟରେ ଭଞ୍ଜସେନାର ଜିଲ୍ଲା ସଭାପତି ପିଂଟୁ ମାଇତି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ସିଆଇଟିୟୁର ଜିଲ୍ଲା ସାଧାରଣ ସମ୍ପାଦକ ଅମଲ ଦେ, ସିପିଏମର ଜିଲ୍ଲା ସଭାପତି ରବି ଗୋସ୍ୱାମୀ ପ୍ରମୁଖ ବିଭିନ୍ନ ରାଜନୈତିକ ଓ ଅଣରାଜନୈତିକ ସଂଗଠନଗୁଡ଼କ ସମର୍ଥନର ହାତ ବଢ଼ାଇବାକୁ ପତ୍ର ଲେଖିବା ପରେ ସିପିଏମ ଓ ସିଆଇଟିୟୁ ପକ୍ଷରୁ ଜରୁରୀ ବୈଠକ ବସି ଏ ସମ୍ପର୍କରେ ଆଲୋଚନା କରାଯାଇ ବନ୍ଦକୁ ସମର୍ଥନ ଦେବାର ସର୍ବ ସମ୍ମତି କ୍ରମେ ନିଷ୍ପତି ଗୃହୀତ ହୋଇଥିଲା । ଏ ବିଷୟରେ ସିପିଏମର ଜିଲ୍ଲା ସଭାପତି ଶ୍ରୀଗୋସ୍ୱାମୀ ଓ ସିଆଇଟିୟୁର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଦେ ଗଣମାଧ୍ୟମକୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି ।