
ବାରିପଦା, ୯ଧାନ ବିକ୍ରିରେ ଅନିୟମିତତାକୁ କେନ୍ଦ୍ର କରି ଲ୍ୟାମ୍ପ୍ସ ର ମ୍ୟାନେଜର ଅମିତ କୁମାର ବେହେରାଙ୍କୁ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଉତ୍ୟେକ୍ତ ଚାଷୀ । ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟା ଲ୍ୟାମ୍ସରେ । ବାରିପଦା ସଦର ଥାନା ପୋଲିସ ଘଟଣାଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଉଦ୍ୟମ ଜାରୀ ରଖିଛି ।ଟୋକନ୍ ତାରିଖରୁ ମଣ୍ଡିକୁ ଧାନ ଆଣିଥିଲେ ମଧ୍ୟ ଧାନକୁ ଏଯାବତ୍ ବିକ୍ରୀ କରିପାରିନଥିବାରୁ ଚାଷୀ ମାନେ ଗତକାଲି ନିଜର ଅସନ୍ତୋଷ ଜାହିର୍ କରିବା ସହ ବାରିପଦା – ଲୁଲୁଙ୍ଗ ମୁଖ୍ୟ ରାସ୍ତାକୁ ଧନପୁର ସ୍ଥିତ ଲ୍ୟାମ୍ସ ସମ୍ମୁଖରେ ଦୀର୍ଘ ୪ ଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି ଅବରୋଧ କରିଥିଲେ । ଏନେଇ ଆନ୍ଦୋଳନରତ ଚାଷୀଙ୍କ ଏକ ପ୍ରତିନିଧି ମଣ୍ଡଳି ଗତକାଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ସହିତ ଆଲୋଚନା ସନ୍ତୋଷଜନକ ନଥିଲା । ଯାହାକୁ ନେଇ ଉତ୍ୟେକ୍ତ ଚାଷୀ ଆଜି ଲ୍ୟାମ୍ପ୍ସର ମ୍ୟାନେଜର ଅମିତ କୁମାର ବେହେରାଙ୍କୁ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ।
ମଣ୍ଡି ବାହାରେ ଖୋଲା ଆକାଶ ତଳେ ଚାଷୀ ମାନେ ହଜାର ହଜାର ସଂଖ୍ୟାରେ ଧାନ ବସ୍ତା ଧରି କିଣାଯିବା ପାଇଁ ଅପେକ୍ଷାରେ ବସି ରହିଥିବା ବେଳେ ଟାର୍ଗେଟ୍ ନଥିବା କହି ସେମାନଙ୍କ ଧାନ କିଣାଯାଉନାହିଁ । ଅଧିକାରୀଙ୍କ ଦେଖା ମିଳୁନି । ଏପରିକି ଗତ ତିନି ଦିନ ଧରି ମଣ୍ଡିକୁ ଏମଡ଼ି ଆସିନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଧାନ କିଣା ନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଚାଷୀ ମାନେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।