ଏବେ ବାଲେଶ୍ବରର ସର୍ବପୁରାତନ ଉଡନ୍ତା ପୋଲ। 1984 ମସିହାରେ ତିଆରି ହୋଇଥିବା ଏହି ପୋଲ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଏହି ପୋଲର ସୁରକ୍ଷା ଓ ମରାମତି ଦାବି ନେଇ ସିଭିଲ ସୋସାଇଟି ପକ୍ଷରୁ ରାସ୍ତା ଓ ଗୃହ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି।
ବାଲେଶ୍ବର : ବିପଦରେ ଏବେ ବାଲେଶ୍ବରର ସର୍ବପୁରାତନ ଉଡନ୍ତା ପୋଲ। 1984 ମସିହାରେ ତିଆରି ହୋଇଥିବା ଏହି ପୋଲରେ ସ୍ଥାନେ ସ୍ଥାନେ ଗାତ ସୃଷ୍ଟି ହୋଇଛି। ଏହି ଦୁର୍ବଳ ପୋଲ ଉପରେ ଦୈନିକ ହଜାର ହଜାର ଗାଡି ମୋଟର ଯିବା ଆସିବା କରୁଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଅଭାବରୁ କେତେବେଳ ବି ଭୁଶୁଡି ଯାଇପାରେ ବୋଲି ଆଶଙ୍କା କରାଯାଉଛି।
ଏହି ପୋଲର ସୁରକ୍ଷା ଓ ମରାମତି ଦାବି ନେଇ ସିଭିଲ ସୋସାଇଟି ପକ୍ଷରୁ ରାସ୍ତା ଓ ଗୃହ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ବର୍ଷେ ପୂର୍ବେ ତତ୍କାଳୀନ ଜିଲ୍ଲାପାଳ ଏହାର ମରାମତି ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନଥିବାରୁ ଧାରଣାକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅନ୍ୟପଟେ ପୋଲ ତଳେ ଶତାଧିକ ଦୋକାନ ତିଆରି ହୋଇଥିବା ଯୋଗୁଁ ପୋଲ ମରାମତି କାର୍ଯ୍ୟରେ ବିଳମ୍ବ ହେଉଥିବା ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି। ତେବେ ପୋଲ ମରାମତି ପାଇଁ 4 କୋଟି 93 ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ହୋଇଛି ।
ବାଲେଶ୍ୱର ରୁ ଗୋବିନ୍ଦ କୁମାର ରାଠୀ, ଇଣ୍ଡୋ କଳିଙ୍ଗ ଟାଇମ୍ସ