ବାରିପଦା, ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ ଶିମିଳିପାଳ ଜୈବ ମଣ୍ଡଳ ସାଙ୍ଗକୁ ଜିଲ୍ଲାରେ ଥିବା ପ୍ରାୟତଃ ସମସ୍ତ ସଂରକ୍ଷିତ ଜଙ୍ଗଲ ଆଜକୁ ପ୍ରାୟ ୧୨ ଦିନରୁ ଅଧିକ ସମୟ ଧରି ହୁ ହୁ ହୋଇ ଜଳୁଛି । ତେବେ ପିସିସିଏଫ ଶଶୀ ପଲ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ଯଜ୍ଞଦତ ପତି ନିଆଁକୁ ଲିଭାଇ ଦିଆଯାଉଥିବା ବିଷୟରେ ସୂଚନା ଦେଇଛନ୍ତି । ଏହି ସମୟରେ ଜଳୁଥିବା ନିଆଁକୁ ଲିଭାଇବା ନିମନ୍ତେ ଜିଲ୍ଲା ଆରକ୍ଷୀ ବାହିନୀ ସାମିଲ୍ ହୋଇଛନ୍ତି । ଏ ବିଷୟରେ ଖୁଦ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାର ଟୁଇଟର କରିଥିବାର ପରିଲକ୍ଷିତ ହୋଇଛି । ଜିଲ୍ଲାର ବାଙ୍ଗିରିପୋଷି, ବିଶୋଇ ଓ ଶରତ ଆଦି ଥାନା ପୁଲିସ ଏହି ନିଆଁ ଲିଭା କାର୍ଯ୍ୟରେ ଲାଗିଥିବାର ଟୁଇଟରରୁ ଜଣାପଡ଼ିଛି । ସେହିପରି ଜିଲ୍ଲା ଆରକ୍ଷୀ ବିଭାଗ ପକ୍ଷରୁ ଏକ ହେଲପ ଲାଇନ ଖୋଲାଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ସମ୍ପର୍କରେ ହେଲପ ଲାଇନ ନମ୍ବର ୦୬୭୯୨୨୫୨୩୨୫ ଅଥବା ୧୦୦ ନମ୍ବରକୁ କଲ କରି ସୂଚନା ଦେବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।