ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଡିଆଇଇଟି ବାରିପଦାର ଅଧ୍ୟକ୍ଷା ଥିବା ପୂର୍ବତନ ଡିଇଓ ଫୁଲମଣି ମୁର୍ମୁଙ୍କ ବିରୋଧରେ ପୂର୍ବରୁ ମଧ୍ୟ କେସ୍ ନଂ-୩୪/୨୦୧୯ ଅଭିଯୋଗ ଆଧାରରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶାନାମା ୧୮ ମାର୍ଚ୍ଚ,୨୦୨୦ରେ ବିଭାଗୀୟ ପ୍ରସିଡିଙ୍ଗ୍ ହୋଇସାରିଛି। ତେଣୁ ଶ୍ରୀମତୀ ମୁର୍ମୁଙ୍କ ବିରୋଧରେ ଦୁଇ ଦୁଇ ଥର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଲୋକାୟୁକ୍ତ ଆଦେଶ ଦେଇସାରିଛନ୍ତି। ପୂର୍ବରୁ ଡିଇଓ ଥିବା ଶ୍ରୀମତୀ ମୁର୍ମୁ ନିଜର କାର୍ଯ୍ୟକାଳ ସମୟରେ ବିଭିନ୍ନ କାରଣରୁ ବିବାଦୀୟ ହୋଇପଡ଼ିଥିଲେ। ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ରହିଛି। ତେବେ ଗଣଶିକ୍ଷା ବିଭାଗ କେବେ ଶ୍ରୀମତୀ ମୁର୍ମୁଙ୍କ ବିରୋଧରେ ଦଣ୍ଡ ବିଧାନ କରୁଛି ତାହା ଦେଖିବାକୁ ବାକି ରହିଲା। ସେହିପରି ଡିଇଓଙ୍କ କାର୍ଯ୍ୟାଳୟର ପୂର୍ବତନ ମୁଖ୍ୟ କିରାଣୀ ଚିତ୍ତରଞ୍ଜନ ଲେଙ୍କା ଚଳିତ ବର୍ଷ ଜାନୁୟାରୀ ୩୧ରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ ବିରୋଧରେ ବିଦ୍ୟାଳୟଗୁଡ଼ିକୁ ଆର୍ଥିକ ଅନୁଦାନ(ଇନେ୍ସଣ୍ଟିଭ୍ ଗ୍ରାଣ୍ଟ୍) ଦେବାରେ ତଞ୍ଚକତା କରି ବିଦ୍ୟାଳୟ ଚୟନ କରିବାରେ ହେର୍ଫେର କରିଥିବା ଅଭିଯୋଗରେ ମାନ୍ୟବର ଲୋକାୟୁକ୍ତ ବିଭାଗୀୟ ପ୍ରସିଡିଂ ଡ୍ର କରି ଦଣ୍ଡବିଧାନ କରିବାକୁ ବିଭାଗୀୟ ସଚିବଙ୍କୁ ଆଦେଶ ଦେଇଛନ୍ତି। ଡିଇଓଙ୍କ ଦପ୍ତରରେ ଦୀର୍ଘ ଦିନ ହେବ ଆସ୍ଥାନ ଜମାଇ ରହିଥିବା କନିଷ୍ଠ କିରାଣୀ ସିତାଂଶୁ ପାତ୍ର ଓ ତ୍ରିଲୋଚନ ମହାନ୍ତ ଏହି ମାମଲାରେ ମୁଖ୍ୟ କାର୍ପଟଦାର୍ ଥିବା ଅଭିଯୋଗ ହୋଇଛି । ତେଣୁ ଏମାନଙ୍କ ବିରୋଧରେ ମଧ୍ୟ ପ୍ରସିଡିଂ ଡ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଉପରୋକ୍ତ ଦୁଇ କନିଷ୍ଠ କିରାଣୀ ନାମକୁ ମାତ୍ର ବଦଳି ହୋଇଛନ୍ତି। ସିତାଂଶୁ ପାତ୍ରଙ୍କ ବଦଳି ଅତ୍ୟନ୍ତ ବିବାଦୀୟ ହୋଇପଡ଼ିଛି। ପ୍ରୋସିଡିଂ ଡ୍ର କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିବା ଜଣେ କନିଷ୍ଠ କିରାଣୀଙ୍କ ବଦଳିକୁ ବାରିପଦା ମୁଖ୍ୟାଳୟରେ ରଖିବାକୁ ବର୍ତ୍ତମାନର ଡିଇଓଙ୍କ ଭୂମିକା ବିବାଦୀୟ ହୋଇପଡ଼ିଛି । ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା କିରାଣୀଙ୍କ ପ୍ରତି ଜିଲ୍ଲା ଶିକ୍ଷାଧିକାରୀ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାସ୍ତରରେ ଅସନ୍ତୋଷ ଦେଖାଦେଇଛି ।