
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଶିଶୁ ମଙ୍ଗଳ ସମିତି ବ୍ରହ୍ମପୁର ପକ୍ଷରୁ ଅନାଥ ଶିଶୁଙ୍କ ଅଧିକାର ସୁନିଶ୍ଚିତ କରିବା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ସଦସ୍ୟ ହରିହର ପଢି, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଅଣ ଆନୁଷ୍ଠାନିକ ଶିଶୁ ଯତ୍ନ ଅଧିକାରୀ ସୁଶାନ୍ତ କୁମାର ସାହୁ, ସିଡ଼ିପିଓ ଗାୟତ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବ୍ଲକର 18 ଟି ପଞ୍ଚାୟତ ଓ ଗୋଟି ଏନଏସି ରୁ ଆସିଥିବା ଅନାଥ ଶିଶୁ ମାନଙ୍କୁ ଧନ୍ଦା ମୂଳକ ତାଲିମ୍, ଶିଶୁ ସୁରକ୍ଷା ଅନୁଷ୍ଠାନରେ ଯତ୍ନ ନେବା, ସରକାରଙ୍କ ତରଫରୁ ପୃଷ୍ଠପୋଷକତା, ଆବାସ ଯୋଜନା, ରାସନ୍ କାର୍ଡ଼ ଭଳି ବହୁ ଯୋଜନାରେ ସାମିଲ୍ କରିବା ପାଇଁ ବ୍ଲକ୍ ର ସମସ୍ତ ଅଧିକାରୀ, ଅନ୍ୟ କାର୍ଯ୍ୟାଳୟ ସହଯୋଗିତାରେ ଅନାଥ ଶିଶୁ ଯେଭଳି ତାର ବଞ୍ଚିବା ଅଧିକାର, ବିକାଶର ଅଧିକାର, ସହଭାଗିତାର ଅଧିକାର, ସୁରକ୍ଷାର ଅଧିକାରରୁ ବଞ୍ଚିତ ନ ହେବା ସକାଶେ ଆପ୍ରାଣ ଚେଷ୍ଟା କରାଯିବ । ଶୈଶବ ସମୟରେ ଦେଖାଯାଉଥିବା ବିପଦପୂର୍ଣ୍ଣ ସ୍ଥିତିକୁ ଅନୁଧ୍ୟାନ କରି ବିପଦରୁ ସୁରକ୍ଷା ପ୍ରଦାନ କରିବା, ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଯୌନ ନିର୍ଯାତନାକୁ ରୋକିବା ନିମନ୍ତେ ପଞ୍ଚାୟତ ଓ ବ୍ଲକ ସ୍ତରରେ ଶିଶୁ ସୁରକ୍ଷା କମିଟିଙ୍କୁ ସୁଦୃଢ଼ କରିବା ପାଇଁ ସିଡ଼ିପିଓ, ସୁପର ଭାଇଜର ମାନଙ୍କୁ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଚାଇଲ୍ଡ ଲାଇନ୍ ର ରଞ୍ଜିତ ବେହେରାଙ୍କ ସମେତ ସମସ୍ତ ସୁପରଭାଇଜର ଯଥା ମିଲିମା ପଣ୍ଡା, ରଞ୍ଜୁକ୍ତା ସ୍ୱାଇଁ, ସଂଯୁକ୍ତା ଦାସ, ପ୍ରଶାନ୍ତି ତ୍ରିପାଠୀ ସମେତ ବହୁ ଅଙ୍ଗନୱାଡି କର୍ମୀ ସହଯୋଗ କରିଥିଲେ ।