ବନ ବିଭାଗ ପକ୍ଷରୁ ବନସୁରକ୍ଷା ସମିତି ଦ୍ୱାରା ନିଆଁ ବ୍ୟାପିବା ପାଇଁ ଶୁଖିଲାପତ୍ର ଲାଇନିଂ କାର୍ଯ୍ୟ ଡ଼ିସେମ୍ବରରୁ ଫେବୃଆରୀ ମଧ୍ୟରେ ଶେଷ ହୋଇଥାଏ । ଫଳରେ ଶୁଖିଲାପତ୍ରରୁ ପତ୍ର ମଧ୍ୟରେ ୧୦ ଫୁଟରୁ ଉର୍ଦ୍ଧ୍ୱ ଦୂରତା ରହିବା ଫଳରେ ନିଆଁ ଚରିଚରି ଆସିଲେ ସେହିଠାରେ ବ୍ରେକ ବା ଅଟକି ଥାଏ । ବେଳେ ବେଳେ ଶିକାରୀ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଉଥିବାରୁ ପରିସ୍ଥିତି ଅଣାୟତ ହୋଇପଡ଼ୁଛି । ନିଆଁ ଲାଗିବା ଫଳରେ ଶିମିଳିପାଳ ଜୈବ ମଣ୍ଡଳରେ ଜୀବଜନ୍ତୁ, ସରୀସୃପ, ବୃକ୍ଷଲତା, ଅର୍କିଡ଼୍ର ବିଲୋପ ଘଟୁଛି । ଏଠାରେ ୧୦୭୬ ପ୍ରକାରର ବୃକ୍ଷଲତା, ୯୪ ପ୍ରକାର ଅର୍କିଡ଼୍, ୬୦୪ ପ୍ରକାର ଔଷଧୀୟ ବୃକ୍ଷ, ୫୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରକାର ସରୀସୃପ, ୨୦ ପ୍ରଜାତିର ଉଭୟଚର ପ୍ରାଣୀ ଓ ଅସଂଖ୍ୟ ପ୍ରଜାତିର କୀଟପତଙ୍ଗ ରହିଥିବା ବେଳେ ସେମାନେ ଏବେ ପ୍ରଭାବିତ । ସେହିପରି ଜୈବ ମଣ୍ଡଳ ସଂଲଗ୍ନରେ ଥିବା ୧୨୦୦ ଗ୍ରାମର ଆଦିମ ଅଧିବାସୀ ସିଧାସଳଖ ପ୍ରଭାବିତ ହେବେ । ଜଙ୍ଗଲ ଉପରେ ନିର୍ଭର କରି ଏମାନେ ଋତୁଭିତିକ ଖାଦ୍ୟ ଠାରୁ ଆରମ୍ଭ କରି ବନ୍ୟଜାତ ସାମଗ୍ରୀ ସଂଗ୍ରହରେ ବାଧା ଉପୁଜିବ । ପରିବେଶକର୍ମୀ ଗୋପୀନାଥ ସିଂଙ୍କ ମତରେ ହିମାଳୟ ପାଦଦେଶସ୍ଥିତ ଉତର ପୂର୍ବ ଭାରତ ତଥା ଦକ୍ଷିଣ ଭାରତ ମଧ୍ୟରେ ଶିମିଳିପାଳ ଜୈବମଣ୍ଡଳ ପ୍ରାକୃତିକ ଭାରସାମ୍ୟ ରକ୍ଷାରେ ନିରବଚ୍ଛିନ୍ନ ଭୂମିକା ଗ୍ରହଣ କରିଆସିଛି । ଯାହାପାଇଁ ୨୦୦୯ ମଇ ୨୬ ତାରିଖରେ ବିଶ୍ୱସ୍ତରୀୟ ଜୈବମଣ୍ଡଳ ଭାବେ ୟୁନେସ୍କୋର ୨୧ତମ ଅଧିବେଶନରେ ପୁରସ୍କୃତ ହୋଇଛି । ଶିମିଳିପାଳ ଜୈବମଣ୍ଡଳ ଉପରେ ଚାଳିଥିବା ମନୁଷ୍ୟକୃତ ଅତ୍ୟାଚାର ଯୋଗୁଁ ଜୈବ ବିବିଧତା ବ୍ୟାପକ ପ୍ରଭାବିତ ହେଉଛି । ଗତ ୧ ଦଶନ୍ଧି ଧରି ଶିିମିଳିପାଳରେ ମନୁଷ୍ୟକୃତ ଅଗ୍ନିକାଣ୍ଡ ପାଇଁ ବିଭିନ୍ନ ପ୍ରଜାତିର ବୃକ୍ଷଲତା, ଅର୍କିଡ଼୍ ଓ କୀଟପତଙ୍ଗ ବିଲୁପ୍ତ ହୋଇଗଲେଣି । ଏହା ଗ୍ରାମ ବୈଦ୍ୟ ଏବଂ ଆୟୁର୍ବେଦିକ ପ୍ରୟୋଗଶାଳାରେ ଔଷଧ ତିଆରି କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛି । କେବଳ ବୃକ୍ଷଲତା ନୁହେଁ, ବହୁ ଜୀବଜନ୍ତୁ ଗ୍ରାମାଭିମୁଖୀ ହୋଇ ମଣିଷର ଶିକାର ହେଉଛନ୍ତି । ପୂର୍ବରୁ ଏହି ବନବାସୀମାନେ ଶିମିଳିପାଳରୁ ବିଭିନ୍ନ ଋତୁଭିତିକ ଖାଦ୍ୟ ସହ ବିଭିନ୍ନ ପ୍ରକାର କୋଳି, ଫଳମୂଳ ପାଉଥିଲେ ଏବଂ ଜଙ୍ଗଲରୁ ମିଳୁଥିବା ଲାଖ, ଝୁଣା, ପାଳ ଓ ମହୁ ଭଳି ବହୁ ସାମଗ୍ରୀ ସଂଗ୍ରହ କରି ଚଳୁଥିଲେ । ନିଆଁ ଲାଗିବା ଫଳରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ବାଧାପ୍ରାପ୍ତ ହେବା ସହିତ ନିର୍ଭରଶୀଳ ବନବାସୀଙ୍କ ରୋଜଗାରରେ ଅଙ୍କୁଶ ଲାଗିବ । ସଚେତନତା କରାଯାଉଥିଲେ ମଧ୍ୟ ମନୁଷ୍ୟକୃତ ନିଆଁ ଲାଗିବାକୁ ବନ୍ଦ କରାଯାଇପାରୁନି । ତେବେ ଏହାକୁ ରୋକିବା ପାଇଁ ରେଞ୍ଜର, ଫରେଷ୍ଟର, ଗାର୍ଡ଼ ଓ ନିଆଁଲିଭାଳି ସ୍ୱେଚ୍ଛାସେବୀ ଦଳର ସଦସ୍ୟଙ୍କୁ ନିୟୋଜିତ କରାଯାଇଛି । ନିଆଁ ଲିଭାଇବା ପାଇଁ ସମସ୍ତ ବ୍ୟବସ୍ଥା ତାଙ୍କୁ ଯୋଗାଯାଇଛି । ତତସହିତ ପରବର୍ତୀ ମୁକାବିଲା ପାଇଁ ସ୍ୱାସ୍ଥ୍ୟଟିମକୁ ମଧ୍ୟ ସଜାଗ କରାଯାଇଛି । ବନ ସଂଲଗ୍ନ ଗ୍ରାମ ମାନଙ୍କରେ ସରପଚଂ, ସମିତି ସଭ୍ୟ ଓ ବନସୁରକ୍ଷା ସମିତିର ସଦସ୍ୟା ତଥା ଜନସାଧାରଣଙ୍କୁ ଜଙ୍ଗଲ ନିଆଁରୁ ବର୍ତିବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦେଶକ ଯଜ୍ଞଦତ ପତି କହିବା ସହିତ ବର୍ତମାନ ନିଆଁକୁ ଲିଭାଇ ଦିଆଯାଇଛି କହିଛନ୍ତି । ତେବେ ଶିମିଳିପାଳରେ ନିଆଁକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଏହା ଜାତୀୟସ୍ତରରେ ଚର୍ଚ୍ଚାର ପରିସରକୁ ଆସିଛି । ଏଥି ସହିତ କେନ୍ଦ୍ର ପରିବେଶ ମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି ।
ସେହିପରି ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା ଭଞ୍ଜଦେଓ ଟୁଇଟ୍ କରି ଗଭୀର ଉଦବେଗ ପ୍ରକାଶ କରିବା ସହିତ ବନ ବିଭାଗର ଖାମଖିଆଲି ମନୋଭାବକୁ ସମାଲୋଚନା କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।