
ରାଉରକେଲା, ଆରଏସପି ଗ୍ୟାସ୍ ଲିକ୍ ଘଟଣାର ତଦନ୍ତ ପରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ ପକ୍ଷରୁ ପାନପୋଷ ଜେଏମଏଫସି କୋର୍ଟରେ ଆରଏସପିର ଜଣେ ଇ.ଡି. ଓ ଅନ୍ୟ ଜଣେ ଅଧିକାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି । ଗତ ଜାନୁଆରୀ ୬ ତାରିଖରେ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ କାର୍ବନ ମନୋକ୍ସାଇଡ ଗ୍ୟାସ୍ ନିର୍ଗତ ହୋଇ ୪ ଜଣ ଠିକା ଶ୍ରମିକଙ୍କ ପ୍ରାଣହାନି ଘଟିଥିଲା । ନିୟମ ଅନୁସାରେ ରାଉରକେଲା ଇସ୍ପାତ କାରଖାନାର ଫ୍ୟାକ୍ଟ୍ରୀ ଲାଇସେନ୍ସରେ ଆରଏସପିର ଇଡି ୱାର୍କସ୍ ଙ୍କୁ ରଖାଯାଇଛି, ତେଣୁ ତାଙ୍କ ବିରୋଧରେ ଏହି ମାମଲା ରୁଜ୍ଜୁ ହେବା କଥା । ତେବେ ମାମଲା ସମ୍ପର୍କରେ ରାଜ୍ୟ ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗକୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ଯଦି ଏହି ଦୁଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି, ତେବେ ସେମାନଙ୍କ ଗିରଫଦାରୀ କେବେ ଓ ଟାଙ୍ଗରପାଲ୍ଲୀ ଥାନାରେ ଏନେଇ ରୁଜ୍ଜୁ ହୋଇଥିବା ମାମଲାରେ ପୋଲିସ କାହିଁକି ନିରବ ସେନେଇ ଶ୍ରମିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।