Related Stories
November 22, 2024
କଟକ – କଟକ ବିକାଶ ନାଁରେ ତାଳଦଣ୍ଡା କେନାଲ ପାଶ୍ୱର୍ରେ ଥିବା ବହୁ ପୁରାତନ ଜନବହୁଳ ବସ୍ତିଗୁଡିକୁ ଆଇନ ଅନୁଯାଇ ଥଇଥାନର ଉପଯୁକ୍ତ ଯୋଜନା ନଥାଇ ଉଚ୍ଛେଦ ନିଷ୍ପତି ପ୍ରତିବାଦରେ ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଇନ ସମ୍ମତ ଥାଇଥାନ ନକରି ବିନା ନୋଟିସରେ ବସ୍ତି ଉଚ୍ଛେଦ ବନ୍ଦ କରିବା, ବସ୍ତି ବାସିନ୍ଦାମାନଙ୍କୁ ଆଇନସିଦ୍ଧଭାବେ ସେମାନଙ୍କର କର୍ମସ୍ଥଳ ନିକଟରେ ଥଇଥାନ କରିବା, ବସ୍ତିବାସିନ୍ଦାଙ୍କୁ ଜମିର କାଗଜ ବା ପଟ୍ଟା ଦେବା, ରାସ୍ତା ଚଉଡାର ଆବଶ୍ୟକତାଠାରୁ ସେହି ଆଳରେ ଆବଶ୍ୟକ ନଥିବା ଜାଗାରୁ ବସ୍ତି ଉଚ୍ଛେଦ ବନ୍ଦ କରିବା ଓ ସେହି ସ୍ଥାନରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା, ମଣିଷଭଳି ରହିବାପାଇଁ ଆବଶ୍ୟକ ମୁତାବକ ଘରପାଇଁ ଜାଗା ଦେବା, ମାଲଗୋଦାମ ଅର୍ବାନ ବ୍ୟାଙ୍କ ପଛପଟେ ଫାଙ୍କା ଥିବା ସରକାରୀ ଅନାବାଦୀ ଜମିରେ ସେହି ସ୍ଥାନର ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଉ । ପୂର୍ବରୁ ଉଚ୍ଛେଦ ହୋଇଥିବା ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦେବା ପ୍ରମୁଖ ଦାବି ମଞ୍ଚ ପକ୍ଷରୁ କରାଯାଇଛି । ମଞ୍ଚ ପକ୍ଷରୁ କୁହାଯାଇଛି, କଟକ ସହରର ସବୁଠାରୁ ବଡ ଜନବହୁଳ ବସ୍ତିଭାବେ ପରିଚିତ ପିଲିଗ୍ରୀମ୍ ରୋଡ ଦାସ ସାହି, ମାଲଗୋଦାମ ବେହେରା ସାହି, ଛତ୍ର ବଜାର ବେହେରା ସାହି, ଏହା ବ୍ୟତୀତ ଡକ୍ ବସ୍ତି, ତେଲୁଗୁ ବସ୍ତି, ନୂଆ ନିମ ସାହି ବସ୍ତି ଗୁଡିକୁ ଉଚ୍ଛେଦ କରିବାର ଯୋଜନା ଚାଲିଛି । ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ଦାବି କୁହାଯାଇଛି ସମସ୍ତ ବସ୍ତିବାସିନ୍ଦା ମାଲ ଗୋଦାମ, ଛାତ୍ର ବଜାର, ବିଭିନ୍ନ ଦୋକାନ ମାନଙ୍କରେ ଓ ସେହି ସ୍ଥାନରେ ମୂଲ ମଜୁରି, ରିକ୍ସା, ଟଲି ଟଣା କାମ କରି ପରିବାର ପ୍ରତିପୋଷଣ କରନ୍ତି । କର୍ମସ୍ଥଳରେ ଥଇଥାନ ନହେଲେ ବସ୍ତି ବାସିନ୍ଦାମାନେ ଜୀବିକା ହରାଇବେ । ଏଠାରେ ସୂଚନାଯୋଗ୍ୟଯେ ୨୦୧୦ରେ ମାନ୍ୟବର ହାଇକୋର୍ଟ ବସ୍ତି ବାସିନ୍ଦାମାନଙ୍କୁ ସମ୍ମାନ ଜନକ ଭାବରେ ଉପଯୁକ୍ତ ଥଇଥାନ ପାଇଁ ଏକ ରାୟ ପ୍ରଦାନ କରିଛନ୍ତି । ୨୦୧୭ ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ ଏକ ଆଇନ ଆଣି ସେମାନଙ୍କୁ ଜାଗା ଓ ଘର ଦେବେ ବୋଲି ପ୍ରଚାର କରିଚାଲିଛନ୍ତି । ଏହିଭଳି ସ୍ଥଳେ ଘୋର କରୋନା କାଳରେ ବଡ ମେଡିକାଲ ବିଶ୍ୱସ୍ତରୀୟ ଆଳରେ ବସ୍ତିବାସିନ୍ଦାମାନଙ୍କୁ ଆଇନ ସମ୍ମତ ଥଇଥାନ ନକରି ମେଡିକାଲ ନିକଟ ତାଳ ଦଣ୍ଡା କେନାଲ ଉଭୟ ପାଶ୍ୱର୍ରେ ବସ୍ତିଗୁଡିକୁ ଅତ୍ୟନ୍ତ ଅମାନବୀୟ ଭାବେ ଉଚ୍ଛେଦ କରାଯାଇଛି । ବସ୍ତିବାସିନ୍ଦାମାନଙ୍କ ଜାଗାର ପଟ୍ଟା ବା ପ୍ରମାଣ ପତ୍ର ନଥିବା ଫଳରେ କାଷ୍ଟ ସାଟିଫିକେଟ୍, ରେସିଡେନ୍ସି ସାଟି ଫିକେଟ ପାଇ ନ ପାରିବା ଫଳରେ ତାଙ୍କର ପିଲାମାନେ ପାଠପଢାରୁ ବଞ୍ଚିତ ହେବା ସହିତ ଅନ୍ୟାନ୍ୟ ବହୁ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହି କୌଶଳରେ ସର୍ବପୂରାତନ ଜନବହୁଳ ବସ୍ତିଭାବେ ପରିଚିତ ପିଲିଗ୍ରୀମ୍ ରୋଡ ଦାସ ସାହି, ମାଲଗୋଦାମ ବେହେରା ସାହି, ଛାତ୍ରବଜାର ବେହେରା ସାହି, ତେଲଗୁ ସାହି, ଡକ୍ ବସ୍ତି ପ୍ରମୁଖ ବସ୍ତିଗୁଡିକୁ ଆଇନସିଦ୍ଧ ଥଇଥାନ ନକରି ବେଆଇନ ଭାବରେ ବଳପୂର୍ବକ ଉଚ୍ଛେଦର ଷଡଯନ୍ତ୍ର ଚାଲିଛି । ଏହି ବିକ୍ଷୋଭ ବସ୍ତି ବାସିନ୍ଦା ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀଙ୍କ ନେତୃତ୍ୱରେ ମହାନଗର ନାଗରିକ ମଞ୍ଚର ଆବାହକ ଚିତ୍ତରଂଜନ ମହାନ୍ତି, ବାମପନ୍ଥୀ ନେତା ବିଶ୍ୱାବସୁ ଦାସ, ଶ୍ରମିକ ନେତା ରାଜକିଶୋର ମଲ୍ଲିକ, ବସ୍ତିନେତା ଦିପକ ଦାସ, ସସ୍ମିତା ମହାନ୍ତି, ସ୍ୱାଧିନ ବେହେରା, ପ୍ରଫୁଲ୍ଲ ଦାସ, ସୁକାନ୍ତ ନାୟକ, ଇଶ୍ୱର ବେହେରା, ରଜନୀ ଦାସ, ସନାତନ ବେେହେରା, ରାଜେନ୍ଦ୍ର ବେହେରା, ଦିବାକର ଦାସ, ଦିନବନ୍ଧୁ ବେହେରା, ଯଶୋଦା ବେହେରା, ମୁନା ଦାସ, ନୟନା ନାୟକ, କାଜଲ କିନର, ମମତା ରେଡି, ହରି ବେହେରା, ରେବତୀ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ ।