ଗାଇଡ୍ ଲାଇନ୍ ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ୱ ତଥା ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟୀକା ଦିଆଯିବ । ରବିବାରକୁ ବାଦ୍ ଦେଇ ସପ୍ତାହରେ ୫ ଦିନ ଟୀକାକରଣ ହେବ । ଅତିରିକ୍ତ ଟୀକାକର୍ମୀ ଓ ଯାଂଚକାରୀଙ୍କୁ ଚିହ୍ନଟ କରି ଟୀକାକରଣ ପାଇଁ ତାଲିମ୍ ଦିଆଯିବ । ପ୍ରତି ବ୍ଲକ୍ ବା ସହରାଂଚଳରେ ୬/୭ଟି ଟୀକା ଟିମ୍ ନିୟୋଜିତ ହେବେ । ଟୀକାଦାନ ପାଇଁ ସମସ୍ତ ପିଏଚସି / ୟୁପିଏଚସି ଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
ସେହିପରି ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଏଏନଏମ୍ ମାନେ ଟୀକାକରଣରେ ନିୟୋଜିତ ହୋଇପାରିବେ ନାହିଁ । ବ୍ଲକ୍ ସ୍ତରରେ ଟୀକାକରଣ ପାଇଁ ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି । ଟୀକାଦାନ ସ୍ଥଳରେ ଲାପଟପ୍ କିମ୍ବା କମ୍ପ୍ୟୁଟର ଉପଲବ୍ଧ କରିବାକୁ କୁହାଯାଇଛି , ଯାହାଦ୍ୱାରା ଟୀକାଦାନ ସମ୍ପର୍କିତ ଷ୍ଟାଟସ୍ ଅପଡେପ୍ କରାଯିବା ସହିତ ଟୀକାକରଣ ,ସାର୍ଟିଫିକେଟ୍ ପ୍ରଦାନ କରାଯାଇପାରିବ ।ସୂଚନାଯୋଗ୍ୟ ଯେ ଜାନୁଆରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟୀକାକରଣ ଆରମ୍ଭ ହୋଇଥିଲା । ଏହାର ୩୦ ଦିନ ମଧ୍ୟରେ (ରବିବାର ବ୍ୟତୀତ) ୫ ଲକ୍ଷରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋର୍ଦ୍ଧାମାନଙ୍କୁ ଟୀକା ଦିଆଯାଇଛି ।