ଭୁବନେଶ୍ୱର,ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ନିଷ୍ପତି ଅନୁଯାୟୀ ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏଁ ଚାଲିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏଁ ଚାଲିବ । ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି । ମାର୍ଚ୍ଚ ୧ ତାରିଖରୁ ଏହି ମାର୍ଗଦର୍ଶିକା ଲାଗୁ ହେବ ।ଗଣଶିକ୍ଷା ବିଭାଗର ସୂଚନା ଅନୁଯାୟୀ ଗତକିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଏଣୁ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଓ ପ୍ରତିକାରମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ନିର୍ଦ୍ଦେଶକଙ୍କ ନିମନ୍ତେ ମାର୍ଗଦର୍ଶିକା ଜାରି କରିଛନ୍ତି । ପୂର୍ବରୁ ଜାରି କରାଯାଇଥିବା କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନ ସହିତ ଏହି ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ପତ୍ରରେ ଉଲ୍ଲେଖ କରାଯାଇଛି ।ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡ଼ିକରେ ନବମ ଓ ଏକାଦଶ ଶ୍ରେଣୀଗୁଡ଼ିକର ପାଠପଢ଼ାସକାଳ ୮.୩୦ରୁ ୧୦ଟା ପରିବର୍ତେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡ଼ିକ ସକାଳ ୧୧ଟାରୁ ଅପରାହ୍ନ ୪ ପରିବର୍ତେ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ଶିକ୍ଷା ଅଧିକାରୀମାନେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ କିମ୍ବା ପୌରପରିଷଦ ସହ ଯୋଗାଯୋଗ ରକ୍ଷା କରି ଅଚଳ ଥିବା ନଳକୂପଗୁଡ଼ିକର ମରାମତି ସହ ବିଦ୍ୟାଳୟରେ ପାନୀୟ ଜଳ ଉପଲବ୍ଧକୁ ସୁନିଶ୍ଚିତ କରିବେ । ଏଥି ସହ ବିଦ୍ୟାଳୟମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ୍ ଗଚ୍ଛିତ ରଖିବେ ଏବଂ ଏହା ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଉପଲବ୍ଧ କରାଇବେ । ଯେଉଁ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ କର୍ମଚାରୀମାନଙ୍କ ପାଇଁ ପରିବହନ ସେବା ଯୋଗାଇ ଦେଉଛନ୍ତି ସେମାନେ କୋଭିଡ୍-୧୯ ମାର୍ଗଦର୍ଶିକାର ଅନୁପାଳନ ସହ ଖରାରୁ ଦୂରେଇ ରଖିବା ପରି ସେବା ଯୋଗାଇଦେବେ । ଅଭିଭାବକମାନଙ୍କୁ ପିଲାମାନଙ୍କୁ ପାଣିବୋତଲ ସାଙ୍ଗରେ ଦେବା ପାଇଁ ସଚେତନ କରାଯିବ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟି ଏ ବାବଦରେ ସଚେତନତା ସୃଷ୍ଟି କରିବେ ।ପ୍ରଧାନଶିକ୍ଷକମାନେ ପିଲାମାନଙ୍କୁ ଗ୍ରୀଷ୍ମପ୍ରବାହରୁ ସୁରକ୍ଷିତ ରହିବା ପାଇଁ ଶିକ୍ଷା ଦେବା ସହ ସେମାନଙ୍କୁ ସଚେତନ
କରାଇବେ । ପାଠପଢ଼ା ସମୟରେ ପିଲାମାନେ ବାହାରେ ଖରାକୁ ଯିବେ ନାହିଁ କିମ୍ବା କୌଣସି ଖେଳକୁଦ ପରି ଶାରୀରିକ କାର୍ଯ୍ୟ କରିବେ ନାହିଁ ।