ଭୁବନେଶ୍ୱର, କଟକ ଜିଲ୍ଲା ସାତକୋଶିଆ ଠାରେ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ କରା ଯାଇଥିବା ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି । ଆଜି ସକାଳ ଭୋର ପାଂଚଟା ବେଳେ ଜିଲିଣ୍ଡା ରେଂଜରେ ଅଗ୍ନିକାଣ୍ଡ ଘଟି ତିନୋଟି ଟେଂଟ ଜଳି ଯାଇଥିବା ଜଣା ପଡିଛି । ଏହି ଅଗ୍ନିକାଣ୍ଡରେ କୌଣସି ପର୍ଯ୍ୟଟକଙ୍କ କ୍ଷତି ହୋଇ ନାହିଁ । ଅଗ୍ନିକାଣ୍ଡର ସଠିକ କାରଣ ଜଣା ପଡି ନ ଥିଲେ ସୁଦ୍ଧା ଅଗ୍ନିକାଣ୍ଡ ସଟ ସର୍କିଟ କାରଣରୁ ହୋଇଥିବା ଅନୁମାନ କରା ଯାଉଛି । ରାଜ୍ୟର ପରିବହନ କମିଶନର ସଂଜୀବ ପଣ୍ଡା ଓ ତାଙ୍କ ସ୍ତ୍ରୀ ତଥା ଗୃହବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ମଧ୍ୟ ଏହି ଟେଂଟ ରେ ଥିଲେ । ସେଠାରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସଂଜୀବ ପଣ୍ଡା ନିଜେ ଟ୍ୱିଟ କରି ସୂଚନା ଦେବା ସହ ସମସ୍ତେ ସୁରକ୍ଷିତ ଥିବା ସେ କହିଥିଲେ । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଦମକଳ ବାହିନୀ ଓ ପୋଲିସ ଟିମ ଘଟଣା ସ୍ଥଳକୁ ପହଂଚିଥିଲେ ଓ ନିଆଁ ଲିଭା କାମରେ ଲାଗିଥିଲେ । ତେବେ ତିନୋଟି ଟେଂଟ ସମ୍ପୂର୍ଣ ଭାବେ ଜଳି ଯାଇଥିବା ଜଣା ପଡିଛି । ବିଜେଡି ବିଧାୟକ ଦେବୀ ମିଶ୍ର ଘଟଣା ସ୍ଥଳରେ ପହଂଚି ସ୍ଥିତିକୁ ଦେଖିଥିଲେ । ଅନ୍ୟ ପକ୍ଷରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ଦିଆ ଯାଇଥିବା ସହ ଏହାର ଜାଂଚ କରା ଯାଉଥିବା କଥା ଟ୍ୱିଟ କରି କୁହା ଯାଇଛି ।