-
ଆମ୍ ଆଦମୀ ପାର୍ଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ,
କରୋନା ମହାମାରୀ ଆଳରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଜନତା ଠାରୁ ତୈଳଜାତ ଦ୍ରବ୍ୟ ଉପରେ ଟ୍ୟାକ୍ସ ନା’ରେ ପଇସା ଲୁଟିବା ଭଳି ଘୃଣ୍ୟ ପ୍ରୟାସକୁ ଆମ୍ ଆଦମୀ ପାର୍ଟି ତରଫରୁ ଦୃଢ଼ ନିନ୍ଦା କରାଯାଇଛି। ଆମ୍ ଆଦମୀ ପାର୍ଟି ପୁରୀ ଜିଲ୍ଲା ଆବାହକ ସଂଜୀବ କୁମାର ମହାନ୍ତି, ସମ୍ପାଦକ ରାଜେଶ କୁମାର ପଣ୍ଡା, ଅନିଲ କୁମାର ସେନାପତି, ବିରଜା ପ୍ରସାଦ ନାଥ, ସତ୍ୟଜିତ ମହାନ୍ତି, ସମୀର ସାମନ୍ତରାୟ, ବିଭୁପ୍ରସାଦ ରଥ ଏବଂ ଅନ୍ୟ ସଦସ୍ୟ/ସଦସ୍ୟା ମାନଙ୍କ ଦ୍ଵାରା ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ କରି ବଡ଼ ଦାଣ୍ଡ ଏବଂ ଶ୍ରୀମନ୍ଦିର ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସାଇକେଲ ରାଲି ମାଧ୍ୟମରେ ବିରୋଧ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।
ବେରୋଜଗାରୀ ଏବଂ ମହାମାରୀ ଭଳି ଭୟଙ୍କର ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ଆମ ଦେଶ ଓ ଦେଶର ଜନତା। ତା ସାଙ୍ଗକୁ ପେଟ୍ରୋଲ, ଡିଜେଲ୍, ଗ୍ୟାସ୍ ର ଏଭଳି ଅହେତୁକ ଦରବୃଦ୍ଧି ସାଧାରଣ ବର୍ଗ କୁ ବ୍ୟତିବ୍ୟସ୍ତ କରିବା ପାଇଁ ଯଥେଷ୍ଟ। ତୈଳଦର ବୃଦ୍ଧି ର ସିଧାସଳଖ ପରିଣାମ ବଜାର ଉପରେ ପଡ଼ିବା ସହିତ ଆଗକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ୍ ରେ ବୃଦ୍ଧି ହେବା ଏକ ପ୍ରକାର ସୁନିଶ୍ଚିତ।
ଦାବିପତ୍ର ମାଧ୍ୟମରେ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟି ରେ ରଖି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ତୈଳଦରରୁ ଅତ୍ୟଧିକ ଟ୍ୟାକ୍ସ ଓହରାଇ ନେବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ବିଷୟକୁ ଗୁରୁତ୍ୱର ସହିତ ନ ନେଇ ମନମୁଖୀ ଶାସନ ବ୍ୟବସ୍ଥା ଚଳାଇଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଛନ୍ତି ଆମ୍ ଆଦମୀ ପାର୍ଟିର ପୁରୀ ଜିଲ୍ଲା ଆବାହକ ସଂଜୀବ କୁମାର ମହାନ୍ତି।