ଏହି ନିୟମାବଳୀକୁ ଚୁଡ଼ାନ୍ତ ରୂପ ଦେବା ସମୟରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ସାମାଜିକ ଗଣମାଧ୍ୟମ (ସୋଶଲ ମିଡିଆ), ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଏକ ସୁସଂଗତ, ଉଦାର ତଦାରଖ ପ୍ରଣାଳୀ ଆଣିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ପ୍ରଯୁକ୍ତି ମାଧ୍ୟମରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ବର୍ତ୍ତମାନ ସାଧାରଣ ଭାରତୀୟଙ୍କ ପାଇଁ ଏକ ଆନ୍ଦୋଳନ ପାଲଟିଛି। ମୋବାଇଲ ଫୋନ, ଇଣ୍ଟରନେଟ୍ ଆଦିର ପ୍ରସାର କାରଣରୁ ଭାରତରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସେମାନଙ୍କର ସ୍ଥିତି ଜମାଇପାରିଛନ୍ତି। ଜନସାଧାରଣ ମଧ୍ୟ ଏହିସବୁ ପ୍ଲାଟଫର୍ମଗୁଡ଼ିକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଉପଯୋଗ କରୁଛନ୍ତି। ସାମାଜିକ ଗଣମାଧ୍ୟମ ସମ୍ପର୍କରେ ନିରପେକ୍ଷ ବିଶ୍ଳେଷଣ କରୁଥିବା କେତେକ ପୋର୍ଟାଲରୁ ଜଣାପଡ଼ିଛି ଯେ ଭାରତରେ 53 କୋଟି ହ୍ବାଟ୍ସଆପ ବ୍ୟବହାରକାରୀ ଥିବା ବେଳେ ୟୁଟ୍ୟୁବର 44.8 କୋଟି, ଫେସବୁକର 41 କୋଟି, ଇନଷ୍ଟାଗ୍ରାମର 21 କୋଟି ଏବଂ ଟୁଇଟରର 1.75 କୋଟି ବ୍ୟବହାରକାରୀ ରହିଛନ୍ତି।
ଏହିସବୁ ସାମାଜିକ ଗଣମାଧ୍ୟମଗୁଡ଼ିକ ସାଧାରଣ ଭାରତୀୟମାନଙ୍କୁ ସେମାନଙ୍କର ସୃଜନଶୀଳତାର ପରିପ୍ରକାଶ କରିବା, ପ୍ରଶ୍ନ ପଚାରିବା, ସୂଚନା ହାସଲ କରିବା ଏବଂ ମୁକ୍ତ ଭାବେ ମତାମତ ବ୍ୟକ୍ତ କରିବା, ସରକାର ଏବଂ ଏହାର ସଂସ୍ଥାଗୁଡ଼ିକୁ ସମାଲୋଚନା କରିବା ଆଦି ନିମନ୍ତେ ସଶକ୍ତ କରିଛି। ସମାଲୋଚନା ଓ ଅସହମତ ହେବା ଲାଗି ପ୍ରତ୍ୟେକ ଭାରତୀୟଙ୍କର ଅଧିକାର ରହିଛି। ଗଣତନ୍ତ୍ରରେ ଏହା ଏକ ଜରୁରି ଉପାଦାନ ବୋଲି ସରକାର ଏହାକୁ ଗ୍ରହଣ କରିଛନ୍ତି। ଭାରତ ବିଶ୍ୱର ସର୍ବବୃହତ ମୁକ୍ତ ଇଣ୍ଟରନେଟ୍ ସମାଜ ଏବଂ ଭାରତରେ କାରବାର କରିବା ଏବଂ ଲାଭ ଅର୍ଜନ କରିବା ଲାଗି ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ ସରକାର ସ୍ୱାଗତ କରିଥାନ୍ତି। ତେବେ ସେମାନେ ଭାରତୀୟ ସମ୍ବିଧାନ ଏବଂ ଆଇନ ନିକଟରେ ଉତ୍ତରଦାୟୀ ରହିବା ଆବଶ୍ୟକ।
ସାମାଜିକ ଗଣମାଧ୍ୟମର ପ୍ରସାର ଗୋଟିଏ ପଟେ ନାଗରିକମାନଙ୍କୁ ସଶକ୍ତ କରୁଥିବା ବେଳେ ଅନ୍ୟପଟେ କେତେକ ଗମ୍ଭୀର ପରିଣାମ ଓ ଚିନ୍ତାକୁ ଜନ୍ମ ଦେଇଥାଏ ଯାହା ନିକଟବର୍ତ୍ତୀ ବର୍ଷଗୁଡ଼ିକରେ ଦେଖିବାକୁ ମିଳିଛି। ଦିନକୁ ଦିନ ଏଗୁଡ଼ିକ ବୃଦ୍ଧି ପାଉଥିବା ଦେଖାଯାଉଛି। ଏ ସମ୍ପର୍କରେ ସଂସଦରେ ଏବଂ ଏହାର ସମିତିରେ, ନ୍ୟାୟିକ ଆଦେଶ ଓ ନାଗରିକ ସମାଜର ଆଲୋଚନାରେ ଚିନ୍ତା ବ୍ୟକ୍ତ କରାଯାଇଛି। ଏପରି ଚିନ୍ତା ସାରା ବିଶ୍ୱରେ ଦେଖାଦେଇଛି ଏବଂ ଏହା ବର୍ତ୍ତମାନ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି।
ସାମାଜିକ ଗଣମାଧ୍ୟମରେ କେତେକ ଚିନ୍ତାଜନକ ଘଟଣା ଦେଖିବାକୁ ମିଳୁଛି। ମିଛ ଖବର ପ୍ରସାର କାରଣରୁ ଅଧିକାଂଶ ଗଣମାଧ୍ୟମ ମଞ୍ଚଗୁଡ଼ିକ ତଥ୍ୟ ଯାଞ୍ଚ ବ୍ୟବସ୍ଥା କରିବାକୁ ବାଧ୍ୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ମହିଳାମାନଙ୍କର ଅଶ୍ଳୀଳ ଫଟୋ ଛଡ଼ାଯାଉଛି। ଅନେକ ସମୟରେ ପ୍ରତିଶୋଧ ନେବା ପାଇଁ ମହିଳାଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଛଡ଼ାଯିବା କାରଣରୁ ସେମାନଙ୍କର ସମ୍ମାନ ପ୍ରତି ଆଞ୍ଚ ଆସୁଛି। କର୍ପୋରେଟ ଶତ୍ରୁତା ପାଇଁ ଅନୈତିକ ଭାବେ ସାମାଜିକ ଗଣମାଧ୍ୟମର ଉପଯୋଗ କରାଯାଉଥିବାରୁ ବଡ଼ ବ୍ୟବସାୟଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଭଳି ଆପତ୍ତିଜନକ ଭାଷା, ଅପମାନଜନକ ଏବଂ ଅଶ୍ଳୀଳ ଉପାଦାନଗୁଡ଼ିକ ଏହି ସାମାଜିକ ଗଣମାଧ୍ୟମରେ ଅଧିକ ପରିମାଣରେ ଦେଖିବାକୁ ମିଳୁଛି।
Related Stories
November 23, 2024