
-
ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶନାମାକୁ ପାଳନ କରୁନାହାନ୍ତି ଶିକ୍ଷାନୁଷ୍ଠାନ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
କରୋନା ମହାମାରୀ ଯୋଗୁଁ ଆମ ଦେଶ ତଥା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିଲା ।ସୂଚନା ଯୋଗ୍ୟ ପ୍ରାୟ ବର୍ଷେ ହେବ ସମସ୍ତ ଛାତ୍ରଛାତ୍ରୀମାନେ ପାଠପଢାରୁ ବଞ୍ଚିତ ହେଲେ । ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାବେଳେ ଘରୋଇ ବିଦ୍ୟାଳୟଗୁଡ଼ିକ ସ୍କୁଲ୍ ଫି ଦାବିକରିବା ଯୋଗୁଁ ଅଭିଭାବକ ମହାସଂଘ ମାନ୍ୟବର ଓଡିଶା ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ । ଅଭିଭାବକ ମହାସଂଘ, କମିଶନର ତଥା ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଓଡ଼ିଶା, ଏବଂ ଘରୋଇ ବିଦ୍ୟାଳୟର
ପ୍ରତିନିଧି ମାନଙ୍କୁ ନେଇ ଆପୋଷ ବୁଝାମଣା ଭିଭିରେ ମାନ୍ୟବର ଅଦାଲତ ଏକ ଗୁରୁତ୍ବ ପୂର୍ଣ୍ଣ ରାୟ ପ୍ରକାଶକଲେ ଓ ଏହାକୁ
କାର୍ଯ୍ୟକାରୀ କରିବାକୁ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଗତ ତା-୧୯-୦୧-୨୦୨୧ ରିଖରେ ନିର୍ଦ୍ଦେଶନାମା ଜାରି କଲେ । ୨୦୨୦-୨୧ ଶିକ୍ଷାବର୍ଷରେ ଘରୋଇ ବିଦ୍ୟାଳୟଗୁଡିକ କୌଣସି ଫି ବୃଦ୍ଧି କରିପାରିବେ ନାହିଁ ଏବଂ ଗତ ଶିକ୍ଷାବର୍ଷର କେବଳ ଟ୍ୟୁସନ୍ ଫିସ୍ ସ୍କୁଲ ଖୋଲିବା ପରେ ଧାର୍ଯ୍ୟ ସ୍ଲାବ୍ ମୁତାବକ ଆଦାୟ କରିବେ । ଉକ୍ତ ସ୍ଲାବ୍ ମୁତାବକ ୨୦୧୯-୨୦ ଶିକ୍ଷାବର୍ଷରେ ବାର୍ଷିକ ଟ୍ୟୁସନ୍ ଫିସ୍
ଟ.୬୦୦୦/- ପର୍ଯ୍ୟନ୍ତ କୌଣସି ଛାଡ କରାଯିବ ନାହିଁ ।
ଟ.୬୦୦୧/- ରୁ୧୨୦୦୦/-ପର୍ଯ୍ୟନ୍ତ ଟ୍ୟୁସନ୍ ଫିସ୍ ପାଇଁ ୭.୫% , ଟ ୧୨୦୦୦/- ରୁ୨୪୦୦୦/-ପର୍ଯ୍ୟନ୍ତ ଟ୍ୟୁସନ୍ ଫିସ୍ ପାଇଁ ୧୨%,
ଟ.୨୪୦୦୧/-ରୁ ଟ.୪୮୦୦୦/-ପାଇଁ ଟ୍ୟୁସନ୍ ଫିସ୍ ପାଇଁ ୧୫%,
ଟ.୪୮୦୦୧/- ରୁ ୭୨ ୦୦୦/- ପାଇଁ ୨୦%,
୭୨୦୦୧-୧୦୦୦୦୦ ଟ୍ୟୁସନ୍ ଫିସ୍ ପାଇଁ ୨୫% ଓ ୧୦୦୦୦୦ ଉର୍ଦ୍ଧ ପାଇଁ ୨୬% ଟ୍ୟୁସନ୍ ଫିସ୍ ଛାଡ କରାଯିବ । ଏହା
ବ୍ୟତୀତ ଏହି ଶିକ୍ଷାବର୍ଷରେ ଡ଼େ-ସ୍କୁଲ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ଠାରୁ ରି-ଆଡ଼ମିସନ୍ ଫିସ୍, ଡେଭଲପମେଣ୍ଟ ଫିସ୍, ଆନୁଆଲ୍ ଫିସ୍ ଓ ଅନ୍ୟାନ୍ୟ କମ୍ପୋଜିଟ୍ ଫିସ୍ ଆଦାୟ କରିପାରିବେ ନାହିଁ । ଡେ-ବୋଡ଼ିଙ୍ଗ୍ ଓ ଆବାସିକ ଘରୋଇ ବିଦ୍ୟାଳୟ ଗୁଡ଼ିକ ଗତ ଶିକ୍ଷାବର୍ଷର କମ୍ପୋଜିଟ୍ କୁ ସ୍ଲାବ ଅନୁଯାୟୀ ଫିସ୍ ଆଦାୟ କରିବେ ବୋଲି ମାନ୍ୟବର ଉଚ୍ଚ ଅଦାଲତ, ଓଡ଼ିଶା ନିର୍ଦ୍ଦେଶ ଦେଲେ । ମାନ୍ୟବର ଅଦାଲତଙ୍କ ଏହି ନିର୍ଦ୍ଦେଶନାମା କୁ ବେସରକାରୀ ସ୍କୁଲ ତରଫରୁ ପକ୍ଷଭୁକ୍ତ ୧୪ ଜଣ ସ୍କୁଲ ପ୍ରତିନିଧିମାନେ ମାନିବେ ବୋଲି ଚୁକ୍ତିପତ୍ର ରେ (MOU) ରେ ସ୍ଵାକ୍ଷର କଲେ । ମାନ୍ୟବର ଅଦାଲତ ତାଙ୍କ ରାୟର ଅନୁଚ୍ଛେଦ- ୨୮ ରେ ଦର୍ଶାଇଅଛନ୍ତି ଯେ ଯଦି ଏହି ବୁଝାବଣାରେ କୌଣସି ସ୍କୁଲର ଅସୁବିଧା ହୁଏ ତେବେ ଉକ୍ତ ସ୍କୁଲ ପୁନର୍ବାର ଆଇନର ଆଶ୍ରୟ ନେଇପାରିବେ । ବର୍ତ୍ତମାନ ସୁଧା କୌଣସି ଘରୋଇ ଶିକ୍ଷାନୁଷ୍ଠାନ ହାଇକୋର୍ଟଙ୍କର ରାୟକୁ ଚାଲେଞ୍ଜ କରିଥିବାର ନଜିର ନାହିଁ । ସ୍କୁଲଗୁଡ଼ିକ ଆଇନର ଆଶ୍ରୟନେଇ
ନଥିବା ସ୍ଥଳେ ମାନ୍ୟବର ଅଦାଲତ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକୁ ମାନୁନାହାଁନ୍ତି । କିନ୍ତୁ ପୁରୀଜିଲ୍ଲା ଓ ସହରରେ ଥିବା ସମସ୍ତ ଘରୋଇ ବିଦ୍ୟାଳୟଗୁଡ଼ିକ ଯଥା ବ୍ଲେସଡ଼ ସାକ୍ରାମେଣ୍ଟ ହାଇସ୍କୁଲ, ସେଣ୍ଟ ଜାଭିୟର ହାଇସ୍କୁଲ, ଡ଼ିଏଭି ପବ୍ଲିକ୍ ସ୍କୁଲ, ଓ ଅନ୍ୟାନ୍ୟ ଘରୋଇ ସ୍କୁଲଗୁଡ଼ିକ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶନାମାକୁ ପାଳନ କରୁନଥିବାର ଦୃଷ୍ଟିଗୋଚର ହେଉଅଛି ଏବଂ ଅଭିଭାବକମାନଙ୍କ ଠାରୁ ସ୍କୁଲ ଫି ଆଦାୟ କରିବା ପାଇଁ ଚାପ ପକାଉଛନ୍ତି । ଏହି ସମସ୍ତ ଘରୋଇ ବିଦ୍ୟାଳୟ ଗୁଡ଼ିକ ଡ଼େ-ସ୍କୁଲ ହୋଇଥିବା ବେଳେ ସେମାନେ ଏହି ଶିକ୍ଷାବର୍ଷର ଟ୍ୟୁସନ୍ ଫିସ୍ ସହ ଅନ୍ୟାନ୍ୟ କମ୍ପୋଜିଟ୍ ଫିସ୍ ଉପରେ ସ୍ଲାବ କରି ଫିସ୍ ଆଦାୟ
କରୁଛନ୍ତି । ଯାହାକି ଉଚ୍ଚ ନ୍ୟାୟାଳୟଙ୍କୁ ଅବମାନନା ଅଟେ । ଅଭିଭାବକ ମହାସଂଘ ତରଫରୁ ଜିଲ୍ଲାପାଳ ପୁରୀଙ୍କୁ ଥରେ ଏବଂ ଶିକ୍ଷା ଅଧିକାରୀ, ପୁରୀଙ୍କୁ ୩ ଥର ସାକ୍ଷାତ କରି ସରକାରଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଶିକ୍ଷା ଅଧିକାରୀ କର୍ଣ୍ଣପାତ କରୁନାହାଁନ୍ତି । ମାନ୍ୟବର ଅଦାଲତ ଓ ସରକାରଙ୍କ ନିର୍ଦ୍ଦେଶନାମାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରା ନଗଲେ ଅଭିଭାବକ ମହାସଂଘ ବାଧ୍ୟ ହୋଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନାତ୍ମକ ପନ୍ଥା
ଅବଲମ୍ବନ କରିବ ବୋଲି ଚେତାବନି ଦେଇଛି ।
ଅଭିଭାବକ ମହାସଂଘ, ପୁରୀ ତରଫରୁ ୟୁଥ ହଷ୍ଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଅଭିଭାବକ ମହାସଂଘର ରାଜ୍ୟ କୋ-ଚେୟାରମ୍ୟାନ୍ ପ୍ରସନ୍ନ କୁମାର ବିଶୋଇ, ପୁରୀ ଜିଲ୍ଲା ଅଭିଭାବକ ମହାସଂଘର ଆବାହାକ ମନୋଜ କୁମାର ଦାସ,ରାଜ୍ୟ ଉପସଭାପତି ଶିଶିର ସାହୁ, ଆଶୁରଞ୍ଜନ ମହାନ୍ତି,ସୁବୋଧ କୁମାର ସୁବୁଦ୍ଧି, ମନ୍ମଥ ରଞ୍ଜନ ଦାସ, ହେମନ୍ତ କୁମାର ରାଉତ, ଶିବ ପ୍ରସାଦ ମହାପାତ୍ର, ନିଳକଣ୍ଠ ନାୟକ, ଦୁର୍ଗାଚରଣ ନନ୍ଦ, ପ୍ରଭାତ କୁମାର ମହାନ୍ତି, କୃଷ୍ଣ ପ୍ରସାଦ ମହାନ୍ତି, ଶାନ୍ତିଲତା ମିଶ୍ର, ମାନସ ସାହୁ, ସୁନନ୍ଦା ପଟ୍ଟନାୟକ, ପ୍ରମୁଖ ଅଭିଭାବକମାନେ ଉପସ୍ଥିତ ଥିଲେ ।