ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକର ଆଦିବାସୀ ବହୁଳ ଭେଜାଙ୍ଗିୱାଡ଼ା ଗ୍ରାମରେ ଥିବା ଗ୍ରାମ୍ୟ ଡାକଘରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଏହି ଡାକଘର ଦାୟିତ୍ୱରେ ଥିବା ମନ ପୂଜାରୀ ନାମକ ଜଣେ ଗ୍ରାମ୍ୟ ଡାକ କର୍ମଚାରୀ ଏହି ଘୋଟାଲାରେ ସଂପୃକ୍ତ ଥିବାର ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଏଥିପାଇଁ ସେମାନେ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ଦାବୀ କରିଛନ୍ତି! ସୂଚନା ଅନୁସାରେ, ଭେଜାଙ୍ଗିୱାଡ଼ା ଗ୍ରାମରେ ଥିବା ଏହି ଡାକଘରେ ଭେଜାଙ୍ଗିୱାଡ଼ା ଓ ଚିନ୍ତଲୱାଡ଼ା ପଞ୍ଚାୟତର ଶହଶହ ହିତାଧିକାରୀଙ୍କ ଆକାଉଣ୍ଟ ରହିଛି । ବିଭିନ୍ନ ଯୋଜନାରେ ହିତାଧିକାରୀମାନେ ନିଜ ନିଜ ପାସବୁକରେ ହଜାର ହଜାର ଟଙ୍କା ଜମା କରି ଆସୁଛନ୍ତି । ହେଲେ ସେମାନଙ୍କ ପାସବୁକରେ ଏହି ଜମା ଟଙ୍କା ନଥିବା ଜଣାପଡ଼ିବା ପରେ ହିତାଧିକାରୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଏବେ କାଲିମେଳା ଉପଡାକଘରକୁ ହିତାଧିକାରୀମାନେ ଆସି ନିଜ ନିଜର ପାସବହି ଯାଞ୍ଚ କରୁଥିବାର ଦେଖିବାକୁ ମିଳିଛି । ଏପରି ଘୋଟାଲା ଦେଖି ହିତାଧିକାରୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଅନ୍ୟପକ୍ଷରେ ଭେଜାଙ୍ଗିୱାଡ଼ା ଗ୍ରାମ୍ୟ ଡାକଘର କର୍ମଚାରୀ ଏବେ କିଛି ଦିନ ହେଲା ଘରେ ନଥିବାରୁ ଲୋକମାନଙ୍କର ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି । ସୁକନ୍ୟା ଯୋଜନାରେ ଭେଜାଙ୍ଗିୱାଡ଼ା ଗ୍ରାମର ଉଷାରଣୀ ପ୍ରଧାନଙ୍କ ନାମରେ ଥିବା ଖାତା ନଂ- ୯୯୧୯୫୩୨୬୮୬ରେ ୨୦୧୫ ମସିହାରୁ ୬୮ହଜାର ଟଙ୍କା ଜମା ହୋଇଥିଲେ ମଧ୍ୟ ସେହି ଖାତାରେ ଏବେ ମାତ୍ର ୪୬୦୦ ଟଙ୍କା ଥିବାର ଜଣାପଡ଼ିଛି । ଏହିପରି ଭାବରେ ଶହଶହ ହିତାଧିକାରୀଙ୍କ ପାସବୁକରୁ ଟଙ୍କା ଗାଏବ ହୋଇଯିବା ଜଣାପଡ଼ିବା ପରେ ସମସ୍ତଙ୍କ ମନରେ ଛନକା ପଶିଯାଇଛି । କିଏ ସୁକନ୍ୟା ଯୋଜନାରେ ଟଙ୍କା ଜମା କରିଛି ତ ଆଉ କିଏ ସ୍ଥାୟୀ ଜମା ଓ ଦୈନିକ ଜମା ଆକାରରେ ନିଜ କଷ୍ଟ ଅର୍ଜିତ ଟଙ୍କା ଜମା କରି ଆସିଛନ୍ତି । ଦୀର୍ଘ ୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହିପରି ଭାବରେ ଲକ୍ଷାଧିକ ଟଙ୍କା ଭେଜାଙ୍ଗିୱାଡ଼ା ଗ୍ରାମ୍ୟ ଡାକଘରେ ଜମା ହୋଇ ଆସୁଥିଲେ ମଧ୍ୟ ଏତେ ବଡ଼ ଘୋଟାଲା ସଂପର୍କରେ କେହି କିପରି ଜାଣିପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏହି ଘୋଟାଲା ସଂପର୍କରେ ବିଧିବଦ୍ଧ ତଦନ୍ତ କରାଯାଇ ସେମାନଙ୍କ କଷ୍ଟ ଅର୍ଜିତ ଟଙ୍କା ଫେରି ପାଇବାକୁ ହିତାଧିକାରୀମାନେ ଦାବି କରିଛନ୍ତି ।