-
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଦୁଇ ଦିନ ମଧ୍ୟରେ ବିବୃତି ଦେବାକୁ ନିର୍ଦେଶ ଦେଲେ ବାଚସ୍ପତି
ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୃଦୟ ପଥର ହୋଇ ଯାଇଛି । ଛଟେଇ ହୋଇଥିବା ଏଏନଏମ ମାନଙ୍କର ସମସ୍ୟାକୁ ସେ ଜାଣି ପାରୁ ନାହାନ୍ତି । ଯେତେବେଳେ ମହାମାରୀ କରୋନାର ପ୍ରକୋପ ଅତ୍ୟନ୍ତ ଚରମରେ ଥିଲା ସେତେବେଳେ ଏହି ଏଏନଏମ ମାନେ ନିଜ ଜୀବନକୁ ବାଜି ଲଗାଇ ସ୍ୱାସ୍ଥ୍ୟ ସେବାରେ ନିଜକୁ ନିୟୋଜିତ କରିଥିଲେ । ମାତ୍ର ତାଙ୍କର କାମ ସରିଲା ପରେ ତାଙ୍କ ସହିତ ୟୁଜ ଏଣ୍ଡ ଥ୍ରୋ ଭଳି ବ୍ୟବହାର କରା ଯାଇଛି । ସେ କହିଛନ୍ତି ୧୩-୧୪ ବର୍ଷ ହେଲାଣି ଏଠାରେ ନିଯୁକ୍ତି ବାହାରି ନାହିାଁ ତେଣୁ ଛଟେଇର ଶୀକାର ହୋଇଥିବା ଏଏନଏମ ମାନଙ୍କୁ ଶୀଘ୍ର ନିଯୁକ୍ତ ଦିଆ ଯାଉ । ନ ହେଲେ ଧର୍ମ ସହିବ ନାହିଁ ବୋଲି ସେ କହିଥିଲେ ।
ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ଏହି ପ୍ରସଙ୍ଗ ଉତଥାପନ କରି କହିଥିଲେ ଯେ ଆଜି ମଧ୍ୟ କରୋନା ସଂକଟ ଟଳି ନାହିଁ । ଏଭଳି ସ୍ଥଳେ ଛଟେଇର ଶୀକାର ହୋଇଥିବା ଏହି ଏଏନଏମ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପୁଣି ଥରେ ନିଯୁକ୍ତି ଦିଆ ଯାଉ ବୋଲି ସେ ଦାବି କରିଥିଲେ ।
ଏହି ଦାବି ପରେ ବାଚସ୍ପତି ସ୍ୱାସ୍ଥ୍ୟ ମନ୍ତ୍ରୀ ଦୁଇ ଦିନ ମଧ୍ୟରେ ଗୃହରେ ବିବୃତି ଦେବେ ବୋଲି ରୁଲିଂ ଦେଇଥିଲେ । ଏଥିରେ ବିରୋଧୀ ଦଳର ବିଧାୟକ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଗୃହର ମଧ୍ୟ ଭାଗକୁ ଆସି ଧାରଣା ଦେବେ ବୋଲି ଧମକ ଦେଇଥିଲେ । ବାଚସ୍ପତି ତାଙ୍କୁ ବୁଝା ସୁଝା କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା ।