ଗଞ୍ଜାମ ଜିଲ୍ଲାରେ ଶ୍ରମିକ କାର୍ଡ଼ ପ୍ରଦାନ କରିବାକୁ ନେଇ ପୂର୍ବରୁ ମଧ୍ୟ ବହୁ ଜାଲିଆତି ଘଟଣା ନଜରକୁ ଆସିଥିଲା । ଏକ ସଂସ୍ଥା ଦିଗପହଣ୍ଡିରେ କାର୍ଯ୍ୟାଳୟ ଖୋଲି ଶ୍ରମିକ କାର୍ଡ଼ ଯୋଗାଇଦେବାକୁ କହି ପ୍ରତି ବ୍ୟକ୍ତି ପିଛା ୩ ଶହରୁ ୪ ଶହ ଟଙ୍କା ଆଦାୟ କରୁଥିବା ନେଇ ଖବର ମିଳିଥିଲା । ସେନେଇ ବ୍ରହ୍ମପୁର ଶ୍ରକ ଅଧିକାରୀ ବାବୁ ଚରଣ ପାତ୍ର ଦିଗପହଣ୍ଡିରେ ପହଂଚି ତଦନ୍ତ କାର୍ଯ୍ୟ ଯାଂଚ୍ କରିଥିଲେ । ଯାଂଚ୍ ପରେ ସେଠାରୁ କିଛି କାଗଜପତ୍ର ଜବତ ହୋଇଥିଲା । ଏଠାରେ ବେଆଇନ ଭାବେ ଶ୍ରମିକ କାର୍ଡ଼ ପ୍ରଦାନ କରାଯାଉଥିବା ନେଇ ଶ୍ରମ ଅଧିକାରୀ ଦିଗପହଣ୍ଡି ଥାନାରେ ଏତଲା କରିଥିଲେ । ପୁଞ୍ଜିକୟାଁ ଛକରେ ଏହି କାର୍ଯ୍ୟାଳୟ ରହିଛି । କାର୍ଯ୍ୟାଳୟର କର୍ମଚାରୀ ଦିଗପହଣ୍ଡି ଅଂଚଳର ବିଭିନ୍ନ ପଚାଂୟତରେ ଥିବା ଶ୍ରମିକଙ୍କ ନାମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ଼ ଦ୍ୱାରା ଶ୍ରମିକ କାର୍ଡ଼ କରାଇଦେବାକୁ ଆବେଦନ ପତ୍ର ଗ୍ରହଣ କରୁଥିଲେ । ଶ୍ରମିକଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ସେହି କାର୍ଯ୍ୟାଳୟରେ ବ୍ୟାନର ଓ ପୋଷ୍ଟର ଲଗାଯାଇଛି । ସରକାରଙ୍କ କୌଣସି ଅନୁମତି ନଥାଇ ଏକ ଘରୋଇ ସଂସ୍ଥା ଏଭଳି କାର୍ଡ଼ ପ୍ରଦାନ କରିବା ବେଆଇନ ହୋଇଥିବାରୁ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧାରେ ଥାନାରେ ଏତଲା ଦିଆଯାଇଛି । ଏହି କାର୍ଯ୍ୟାଳୟରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ଆବେଦନ ପତ୍ର ଜମା ହୋଇଥିବା ଜଣାପଡିଛି । ପୋଲିସ ଏ ଦିଗରେ ଅଧିକ ତଦନ୍ତ ଜାରୀ ରଖିଛି ।
Related Stories
January 16, 2025
January 16, 2025
January 15, 2025