
ଭୁୁବନେଶ୍ୱର, ନୂତନ ପୋଲିସ ଷ୍ଟେସନ ଓ ଫାଣ୍ଡି ସ୍ଥାପନ କରିବାକୁ ନେଇ ସୋମବାର ଦିନ ବାଚସ୍ପତି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ଦେଇଥିବା ନିର୍ଦେଶରେ ମୋଡିଫିକେସନ କରିବାକୁ ଦାବି କରିଛନ୍ତି ବିଧାୟକ ଦେବୀ ପ୍ରସାଦ ମିଶ୍ର । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଥିଲେ ଯେ ନୂଆ ଥାନା ପାଇଁ ପ୍ରସ୍ତାବ ମାଗିବାକୁ ବାଚସ୍ପତି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । ହେଲେ କିଛି ଥାନା ପାଇଁ ସମସ୍ତ ପ୍ରକାର ମଂଜୁରୀ ଦିଆ ଯାଇ ସରଛି । ତଥାପି ଏହି ଥାନା ଗୁଡିକୁ ଖୋଲା ଯାଇ ପାରି ନାହିଁ । ସେହି ଥାନା ଗୁଡିକୁ ଅଗ୍ରାଧିକାର ଭିତିରେ ଖୋଲିବାକୁ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ଦେଇଥିବା ନିର୍ଦେଶରେ ପରିବର୍ତନ କରା ଯିବାକୁ ସେ ଦାବି କରିଥିଲେ । ଏହା ପରେ ବାଚସ୍ପତି ଏ ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିବାକୁ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । ଉଲ୍ଲେଖନୀୟ ଯେ ସୋମବାର ଦିନ ବିଧାୟକ ମାନଙ୍କର ନିଜ ନିଜ ଅଂଚଳରେ ନୂତନ ପୋଲିସ ଷ୍ଟେସନ ଓ ଫାଣ୍ଡି ସ୍ଥାପନ କରିବାକୁ ନେଇ ଉଦବେଗକୁ ଆଖି ଆଗରେ ରଖି ଏ ସମ୍ପର୍କରେ ବିଧାୟକ ମାନଙ୍କ ଠାରୁ ପ୍ରସ୍ତାବ ମାଗିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିର୍ଦେଶ ଦେଇଥିଲେ ।
ଆଲୋଚନା କାଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ଅନେକ ବିଧାୟକଙ୍କର ସେମାନଙ୍କର ନିଜ ନିଜ ଅଂଚଳରେ ଥାନା ଓ ଫାଣ୍ଡି ସ୍ଥାପନ କରିବାକୁ ଦାବି ରହିଛି । ତେଣୁ ସେ ସମସ୍ତ ବିଧାୟକ ମାନଙ୍କୁ ଏ ସମ୍ପର୍କରେ ସାତ ଦିନ ମଧ୍ୟରେ ଲିଖିତ ଭାବେ ପ୍ରସ୍ତାବ ଦେବାକୁ କୁହନ୍ତୁ । ସେହି ପ୍ରସ୍ତାବ ମିଳି ସାରିଲା ପରେ ସେଗୁଡିକୁ ସଂପୃକ୍ତ ଜିଲ୍ଲାର ଏସପି ମାନଙ୍କୁ ଏଗୁଡିକର ଫିଜିବିଲିଟି ସମ୍ପର୍କରେ ରିପୋର୍ଟ ମଗାନ୍ତୁ । ସେମାନଙ୍କ ଠାରୁ ରିପୋର୍ଟ ମିଳିଲା ପରେ ସେଗୁଡିକୁ ବିଧାୟକ ମାନଙ୍କୁ ଦେବା ପାଇଁ ସେ କହିଥିଲେ ।