-
ସ୍ୱାମୀଜୀ ଓ ଆଶ୍ରମକୁ ସୁରକ୍ଷା ଦିଆ ଯାଉ, ନ ହେଲେ ଦାୟୀ ରହିବେ ସରକାର
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ନାୟକ କହିଛନ୍ତି ଯେ ୨୦୦୮ ମସିହାରେ କନ୍ଧମାଳର ଜଲେଶପେଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଧମକ ମିଳିବା ପରେ ତାଙ୍କୁ ହତ୍ୟା କରା ଯାଇଥିଲା । ଏହି ମାମଲାରେ ହତ୍ୟାକାରୀ ଓ ଷଡଯନ୍ତ୍ରକାରୀ ମାନଙ୍କୁ ଆଜି ଯାଏ ଗିରଫ କରା ଯାଇ ପାରିଲା ନାହିଁ । ଏ ସମ୍ପର୍କରେ ବସିଥିବା ଜାଂଚ କମିଶନ ମଧ୍ୟ ତାର ରିପୋର୍ଟ ପ୍ରଦାନ କରି ସାରିଛନ୍ତି । ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ସରକାର ଏହାକୁ ଉପସ୍ଥାପନ କରୁ ନାହାନ୍ତି ।
ଏବେ ପୁଣି ଥରେ ଉକ୍ତ କନ୍ୟାଶ୍ରମର ପରିଚାଳନା ଦାୟିତ୍ୱରେ ଥିବା ସାଧୁଙ୍କୁ ହତ୍ୟା ଧମକ ଦିଆ ଯିବା ଚିନ୍ତାର ବିଷୟ । ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଥିବା ନେଇ ସେ ଅବଗତ ଅଛନ୍ତି । ହେଲେ ଏହାର ଷଡଯନ୍ତ୍ର ପଛରେ କିଏ ରହିଛି, କିଏ ଏହି କନ୍ୟାଶ୍ରମକୁ ସମାପ୍ତ କରିବାକୁ ଚାହୁଁଛି ସେ ବିଷୟରେ ବିଶଦ ଭାବେ ଜାଂଚ କରା ଯାଇ ଏହା ପଛର ଷଡଯନ୍ତ୍ର ସମ୍ପର୍କରେ ଖୁଲାସା କରା ଯିବାର ଆବଶ୍ୟକତା ରହିଛି ।
ସେ କହିଛନ୍ତି ଏହି ମାମଲାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନିଅନ୍ତୁ । ସ୍ୱାମୀଜୀ ଓ ଆଶ୍ରମକୁ ସୁରକ୍ଷା ଦିଆ ଯାଉ । ଏ ନ ହେଲେ ରାଜ୍ୟ ସରକାର ଏହା ପାଇଁ ଦାୟୀ ରହିବେ ବୋଲି ସେ ଚେତାଇ ଦେଇଛନ୍ତି ।