
ପଟ୍ଟାମୁଣ୍ଡାଇ, କୋଭିଡ୍-୧୯ ମହାମାରୀ କିଛିଦିନ ଥମି ଯାଇଥିବା ବେଳେ ଏବେ ପୁଣି ମହାରାଷ୍ଟ୍ର ଓ କେରଳ ଭଳି କେତେକ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ସତର୍କ ହୋଇଛନ୍ତି । କୋଭିଡ୍ ଗାଇଡ୍ ଲାଇନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଏବଂ ଏସପିମାନଙ୍କୁ ଚିଠି ଲେଖିଛନ୍ତି । କରୋନା ନିୟମ ପାଳନ ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପଟ୍ଟାମୁଣ୍ଡାଇରେ ତହସିଲଦାର, ବିଡିଓ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୋଲିସ ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଛକ ଠାରେ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଲୋକମାନଙ୍କୁ ସଚେତନ କରିଛନ୍ତି । ହୋଟେଲ, ଜଳିଖିଆ ଦୋକାନ, ବଜାରରେ ସମାଜିକ ଦୂରତା ଓ ମାକ୍ସ ପିନ୍ଧିବା ଅ।ଦି ନିୟମ ପାଳନକୁ କଡ଼ାକଡ଼ି କରାଯାଇଛି ।
ପୂର୍ବଭଳି ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ କରୋନା ସଚେତନତା ନିୟମ ବଳବତ୍ତର ରହିବ । ସଧାରଣ ଲୋକଙ୍କ ସଚେତନତା ନିମନ୍ତେ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସଭାସମିତି, ବିବାହ ଉତ୍ସବ ଆଦିରେ ଅଧିକ ଜନସମାଗମ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିନେଇ ଲୋକମାନଙ୍କୁ ସଚେତନ କରାଯିବା ପରେ ଆସନ୍ତା କାଲି ମଙ୍ଗଳବାର ଠାରୁ କରୋନା କଟକଣା ନିୟମ ନ ମାନିଲେ ପୋଲିସ ଜରିମାନା ଆଦାୟ କରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।