ଦେଶରେ ଥିବା ମୋଟ ସକ୍ରିୟ ମାମଲା ମଧ୍ୟରୁ ୭୪%ରୁ ଅଧିକ କେରଳ ଓ ମହାରାଷ୍ଟ୍ରରେ ରହିଛି । ଏବେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ଦୈନିକ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ପଂଜାବ ଏବଂ ଜମ୍ମୁ-କାଶ୍ମୀରରେ ମଧ୍ୟ ଦୈନିକ ନୂଆ ମାମଲା ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି ।କେରଳରେ ଗତ ୪ ସପ୍ତାହ ହେଲା, ହାରାହାରି ସାପ୍ତାହିକ ମାମଲା ସର୍ବାଧିକ ୪୨,୦୦୦ ଓ ସର୍ବନିମ୍ନ ୩୪,୮୦୦ ମଧ୍ୟରେ ହ୍ରାସବୃଦ୍ଧି ହୋଇଚାଲିଛି । ସେହିଭଳି ଗତ ୪ ସପ୍ତାହ ହେଲା, କେରଳରେ ସାପ୍ତାହିକ ପଜିଟିଭିଟି ହାର ୧୩.୯%ରୁ ୮.୯% ମଧ୍ୟରେ ରହୁଥିବା ଦେଖିବାକୁ ମିଳିଛି । କେରଳର ଆଲାପୁଝା ଜିଲ୍ଲାକୁ ନେଇ ଚିନ୍ତା ବଢ଼ିଛି, ଯେଉଁଠି ସାପ୍ତାହିକ ପଜିଟିଭିଟି ହାର ୧୦.୭%କୁ ବୃଦ୍ଧି ପାଇଛି ଏବଂ ସାପ୍ତାହିକ ମାମଲା ୨,୮୩୩କୁ ବଢ଼ିଛି ।
ମହାରାଷ୍ଟ୍ରରେ ଗତ ୪ ସପ୍ତାହ ହେଲା ସାପ୍ତାହିକ ମାମଲାରେ ବୃଦ୍ଧି ଧାରା ଦେଖିବାକୁ ମିଳିଛି ଏବଂ ଏହା ୧୮,୨୦୦ରୁ ୨୧,୩୦୦କୁ ବୃଦ୍ଧି ପାଇଛି; ଯେବେ କି ସାପ୍ତାହିକ ପଜିଟିଭିଟି ହାର ୪.୭%ରୁ ୮%କୁ ବୃଦ୍ଧି ପାଇଛି । ମୁମ୍ବାଇ ସବଅର୍ବାନ ଅଂଚଳକୁ ନେଇ ଚିନ୍ତା ବଢ଼ିଛି । କାରଣ ସେଠାରେ ସାପ୍ତାହିକ ମାମଲା ୧୯% ବୃଦ୍ଧି ପାଇଛି । ନାଗପୁର, ଅମରାବତୀ, ନାସିକ, ଆକୋଲା ଏବଂ ୟବଟମାଲରେ ସାପ୍ତାହିକ ମାମଲା ଯଥାକ୍ରମେ ୩୩%, ୪୭%, ୨୩%, ୫୫% ଓ ୪୮% ବୃଦ୍ଧି ପାଇଛି ।
କୋଭିଡ-୧୯ ସଂକ୍ରମଣ ବ୍ୟାପିବା ଦୃଷ୍ଟିରୁ ପଂଜାବରେ ସ୍ଥିତି ଜଟିଳ ହେବାରେ ଲାଗିଛି । ରାଜ୍ୟରେ ଗତ ୪ ସପ୍ତାହରେ ସପ୍ତାହିକ ପଜିଟିଭିଟି ହାର ୧.୪%ରୁ ୧.୬%କୁ ବୃଦ୍ଧି ପାଇଛି, ଯେବେ କି ଗତ ୪ ସପ୍ତାହ ମଧ୍ୟରେ ସାପ୍ତାହିକ ମାମଲା ୧,୩୦୦ରୁ ୧,୬୮୨ କୁ ବୃଦ୍ଧି ପାଇଛି । ଗୋଟିଏ ଜିଲ୍ଲା ଏସବିଏସ ନଗରରେ ସାପ୍ତାହିକ ପଜିଟିଭି ହାର ୩.୫%ରୁ ୪.୯%କୁ ବୃଦ୍ଧି ପାଇଛି ଏବଂ ସାପ୍ତାହିକ ମାମଲା ଦୁଇଗୁଣ ହୋଇ ୧୬୫ରୁ ୩୬୪କୁ ବୃଦ୍ଧି ପାଇଛି ।
୫ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ସାପ୍ତାହିକ ପଜିଟିଭିଟି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି । ଜାତୀୟ ହାର ୧.୭୯% ରହିଛି । ମହାରାଷ୍ଟ୍ରରେ ସାପ୍ତାହିକ ପଜିଟିଭିଟି ହାର ସର୍ବାଧିକ ୮.୧୦% ରହିଛି ।
କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟକୁ ୫ଟି କ୍ଷେତ୍ରରେ ଧ୍ୟାନ ଦେବାକୁ କୁହାଯାଇଛି । ସେଗୁଡ଼ିକ ହେଲା: ଆରଟି-ପିସିଆର ଟେଷ୍ଟ ମାତ୍ରା ବଢ଼ାଇ ସାମଗ୍ରିକ ଟେଷ୍ଟିଙ୍ଗ ସଂଖ୍ୟା ବୃଦ୍ଧି କରାଯିବା ଆବଶ୍ୟକ । ସମସ୍ତ ନେଗେଟିଭ ରାପିଡ ଆଂଟିଜେନ ଟେଷ୍ଟ ଫଳାଫଳ ପରେ ବାଧ୍ୟତାମୂଳକ ଭାବେ ଆରଟି-ପିସିଆର ଟେଷ୍ଟ କରାଇବା ଜରୁରି । ଆଂଟିଜେନ ଟେଷ୍ଟରେ ନେଗେଟିଭ ଆସୁଥିବା ଲୋକମାନଙ୍କୁ ଆରଟି-ପିସିଆର ଟେଷ୍ଟ ନ କରାଇ ଛାଡ଼ିଦେବା ଉଚିତ ନୁହେଁ ।
କଠୋର ଓ ବ୍ୟାପକ ନିରୀକ୍ଷଣ ଉପରେ ପୁନଃ ଧ୍ୟାନ ଦେବା ସହିତ କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ କଠୋର କେଂଟନମେଂଟ ଆବଶ୍ୟକ ରହିଛି ।
ଟେଷ୍ଟିଙ୍ଗ ଜରିଆରେ ନିୟମିତ ମ୍ୟୁଟାସନ ଷ୍ଟ୍ରେନର ତଦାରଖ ପରେ ଜିନୋମ ସିକ୍ୱେନ୍ସିଙ୍ଗ କରାଯିବା ଦରକାର । ଏଥିସହ ମାମଲା ବଢୁଥିବା କ୍ଲଷ୍ଟର ଉପରେ ତଦାରଖ କରାଯିବ । ଅଧିକ କରୋନା ମୃତ୍ୟୁ ଦେଖାଦେଉଥିବା ଜିଲ୍ଲାଗୁଡ଼ିକରେ କ୍ଲିନିକାଲ ମ୍ୟାନେଜମେଂଟ ଉପରେ ଧ୍ୟାନ ଦିଆଯିବ ।
କୋଭିଡ ଟିକାକରଣ ପ୍ରସଙ୍ଗ ଦୃଷ୍ଟିରୁ ଭାରତର ମୋଟ ଟିକାକରଣ କଭରେଜ ୧.୧୦ କୋଟିକୁ ବୃଦ୍ଧି ପାଇଛି । ୨୦୨୧ ଫେବୃଆରୀ ୧୮ ସକାଳ ୮ଟା ପର୍ଜୀ ୨,୩୦,୮୮୮ ସେସନ ଜରିଆରେ ମୋଟ ୧,୧୦,୮୫,୧୭୩ ଟିକା ଡୋଜ ଦିଆଯାଇଛି । ଏଥିରେ ୬୩,୯୧,୫୪୪ ସ୍ୱାସ୍ଥ୍ୟକର୍ମୀ (ପ୍ରଥମ ଡୋଜ), ୯,୬୦,୬୪୨ ସ୍ୱାସ୍ଥ୍ୟ କର୍ମୀ (ଦ୍ୱିତୀୟ ଡୋଜ) ଓ ୩୭,୩୨,୯୮୭ ଫ୍ରଂଟଲାଇନ କର୍ମଚାରୀ (ପ୍ରଥମ ଡୋଜ) ରହିଛନ୍ତି ।
୨୦୨୧ ଫେବ୍ରୁଆରୀ ୧୩ରେ କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ ଦିଆଯିବା ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ଡୋଜ ନେବାର ୨୮ ଦିନ ପୂରଣ କରିଥିବା ହିତାଧିକାରୀଙ୍କ ପାଇଁ ଏହା ଆରମ୍ଭ ହୋଇଥିଲା । ୨୦୨୧ ଫେବ୍ରୁଆରୀ ୨ରେ ଫ୍ରଂଟଲାଇନ କର୍ମଚାରୀଙ୍କର ଟିକାକରଣ ଆରମ୍ଭ ହୋଇଥିଲା ।