ପୁରୀ – ଡ଼ବାରେ ଥିବା ବୋମା ଫୁଟି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ସ୍ଥାନୀୟ ରେବଣା ନୂଆଗାଁ ମେଡିକାଲ ଏବଂ ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଏଭଳି ଏକ ଅଘଟଣ ଘଟିଯାଇଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଧର୍ମକୀର୍ତି ଗ୍ରାମରେ ।
ଆଜି ସକାଳେ ଗାଁ ନିକଟ ବ୍ରିଜ୍ ତଳେ ଥିବା ଗଛ ମୂଳେ ଏକ ଡ଼ବା ପଡିଥିଲା । ଗାଁର ଅକ୍ଷୟ ପରିଡାଙ୍କ ପତ୍ନୀ କୁନ୍ତଳା ପରିଡା (୫୫) ଗାଧୋଇ ଯାଇଥିବା ବେଳେ ଡ଼ବାଟିକୁ ପାଇଥିଲେ । କୌତୁହଳବଶତଃ ସେ ଡ଼ବାଟିକୁ ଘରକୁ ନେଇ ଯାଇଥିଲେ । ଡ଼ବାଟିରେ କ’ଣ ଅଛି ଜାଣିବା ପାଇଁ ସେ ଡ଼ବାଟିକୁ ହାତରେ ଖୋଲିବାକୁ ଚେଷ୍ଟା କରିଥିଲେ । କିନ୍ତୁ, ଡ଼ବାଟି ନଖୋଲିବାରୁ ସେ ଏକ କଟୁରୀରେ ହାଣି ଏହାକୁ ଖୋଲିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ପ୍ରଚଣ୍ଡ ଶବ୍ଦ କରି ଏହା ବିସ୍ଫୋରଣ ହୋଇଥିଲା । ଫଳରେ ମହିଳା ଜଣକ ଗୁରୁତର ହୋଇପଡିଥିଲେ । ବିସ୍ଫୋରଣ ଶବ୍ଦରେ ସ୍ୱାମି ଅକ୍ଷୟ କିଛି ସମୟ ପାଇଁ ଅଚେତ୍ ହୋଇପଡିଥିଲେ । ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ରେବଣା ନୂଆଗାଁ ମେଡିକାଲରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । କୁନ୍ତଳାଙ୍କ ଗୋଡ, ପିଠି ଓ ମୁହଁରେ ଗଭୀର ଆଘାତ ଲାଗିବା ସହ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ ରହିଛି । ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଚଳାଇଛି । ମହିଳାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।