
-
କେବଳ ୮ ମିନିଟ ପାଇଁ ଚାଲିଲା ପ୍ରଥମାର୍ଧ ବୈଠକ

ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହର ବୈଠକ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ଦଳର ସଦସ୍ୟ ମାନେ ଚାଷୀ ମାନଙ୍କ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କରିଥିଲୋ ସେମାନେ ସରକାର ବିରୋଧୀ ନାରାବାଜୀ କରୁଥିବା ଓ ହାତରେ ପ୍ଲାକାର୍ଡ ଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ବାଚସ୍ପତି ସେମାନଙ୍କୁ ନିଜ ନିଜ ସିଟକୁ ଯାଇ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ ହେଁ ଏହାର କୌଣସି ପ୍ରଭାବ ତାଙ୍କ ଉପରେ ପଡି ନ ଥିଲା ଓ ସେମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ବାଚସ୍ପତି ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଇ ପ୍ରଶ୍ନ କର୍ତା ମାନଙ୍କର ନାମ ଡାକିଥିଲେ । ମାତ୍ର ସେମାନେ ହଟ୍ଟଗୋଳରେ ସାମିଲ ଥିବାରୁ ସେମାନଙ୍କର ପ୍ରଶ୍ନର ଉତର ସମ୍ପର୍କରେ ଆଲୋଚନା ହୋଇ ପାରି ନ ଥିଲା । ସେହିପରି ଶାସକ ଦଳର ସଦସ୍ୟ ସତ୍ୟ ନାରାୟଣ ପ୍ରଧାନ, ପ୍ରଶାନ୍ତ କୁମାର ଜଗଦେବ ସୌମ୍ୟରଂଜନ ପଟ୍ଟନାୟକ ଅନୁପସ୍ଥିତ ଥିବା କାରଣରୁ ସେମାନଙ୍କ ଦ୍ୱାରା ପଚାରା ଯାଇଥିବା ପ୍ରଶ୍ନ ଉପରେ ମଧ୍ୟ ଆଲୋଚନା ହୋଇ ପାରି ନ ଥିଲା । ଗୃହରେ ଉପସ୍ଥିତ ଥିବା ଶାସକ ଦଳର ଅନ୍ୟତମ ସଦସ୍ୟ ସୁଧୀର କୁମାର ସାମଲଙ୍କ ପ୍ରଶ୍ନର ଉତର ପାଇଁ ବାଚସ୍ପତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଡାକିଥିଲେ । ସେ ଉତର ଦେବାକୁ ଠିଆ ହେବା ବେଳେ ବିରୋଧୀ ଦଳର ସଦସ୍ୟ ମାନେ ସେମାନଙ୍କର ହଟ୍ଟଗୋଳକୁ ଆହୁରି ଜୋର ଦାର କରିଥିଲେ । ନିରୁପାୟ ହୋଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।
ଏହା ପରେ ୧୧.୩୦ରେ ଗୃହର ବୈଠକ ପୁଣିଥରେ ଆରମ୍ଭ ହୋଇଥିଲା । ବୈଠକ ଆରମ୍ଭ ହେବା ମାତ୍ର ବାଚସ୍ପତି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଧାନ କିଣା ସମ୍ପର୍କରେ ବିବୃତି ଉପସ୍ଥାପନ କରିବାକୁ କହିଥିଲେ । ତଦନୁଯାୟୀ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୃହରେ ବିବୃତି ଦେଇଥିଲେ ।