-
ଡଙ୍ଗା, ଜାଲ ଓ ଇଂଜିନ୍ ଉପରେ ଦିଆଯିବ ୬୦% ପର୍ଯ୍ୟନ୍ତ ରିହାତି
-
ସାତପଡ଼ାଠାରେ ପ୍ରତିଷ୍ଠା ହେବ ଶୀତଳଭଣ୍ଡାର, ବରଫ ପ୍ୟାକ୍ତି ଓ ମାର୍କେଟ ୟାର୍ଡ
-
ଅରଖକୁଦାଠାରେ ମାତ୍ସ ଅବତରଣ କେନ୍ଦ୍ର ଓ ଜେଟି ପ୍ରତିଷ୍ଠା ପାଇଁ ଯୋଗାଇ ଦିଆଯିବ ୮ କୋଟି ଟଙ୍କା
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗା, ଜାଲ ଏବଂ ଡଙ୍ଗା ଇଞ୍ଜିନ ଯୋଗାଇଦେବାଠୁ ଆରମ୍ଭ କରି ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୧୮୬ଟି ମତ୍ସ୍ୟ ପ୍ରାଥମିକ ସମବାୟ ସମିତି ଅନ୍ତର୍ଗତ ମତ୍ସ୍ୟଜୀବୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ନେଇ ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବ ଦିଆଯାଇଛି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ସବ୍ସିଡି ଜରିଆରେ ନେଟ୍, ବୋଟ ଓ ମୋଟରଚାଳିତ ଡଙ୍ଗା ପାଇଁ ଇଞ୍ଜିନ ଉପଲବ୍ଧ କରାଯିବା ସହିତ ସାତପଡ଼ା ଠାରେ ଏକ ଡିଜେଲ ଆଉଟ୍ଲେଟ୍, ବରଫ ପ୍ୟାକ୍ତି, ଶୀତଳ ଭଣ୍ଡାର ଓ ଏକ ମତ୍ସ୍ୟ ଅବତରଣ କେନ୍ଦ୍ର ପ୍ରତିଷ୍ଠା ଉପରେ ବ୍ୟାପକ ଆଲୋଚନା ହୋଇଥିଲା ।
ଏହି ଆଲୋଚନା ମଧ୍ୟରେ ସାତପଡ଼ାରେ ମତ୍ସ୍ୟବିଭାଗ ପକ୍ଷରୁ ମାର୍କେଟ୍ ୟାର୍ଡ ପ୍ରତିଷ୍ଠା ଏବଂ ଅରଖକୁଦାଠାରେ ଏକ ଉନ୍ନତ ମାନର ମତ୍ସ୍ୟ ଅବତରଣ କେନ୍ଦ୍ର ଓ ଜେଟି ପ୍ରତିଷ୍ଠା ଉପରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ୮ କୋଟି ଟଙ୍କା ଯୋଗାଇଦେବାକୁ ନିଷ୍ପତ୍ତି କରାଯାଇଛି। ୧୮୬ଟି ମତ୍ସ୍ୟ ପ୍ରାଥମିକ ସମିତି ଅନ୍ତର୍ଗତ ସମସ୍ତ ସଦସ୍ୟମାନେ ନିଜ ଡଙ୍ଗା ମେସିନ ଏବଂ ନେଟ ପାଇଁ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମାଧ୍ୟମରେ ଯୋଗାଇଦେବାକୁ ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଆଜି ବୈଠକରେ ଚିଲିକାର ସୁରକ୍ଷା, ମତ୍ସ୍ୟ ସଂପଦର ବିକାଶ, ଚିଲିକାକୁ ଜୁଭେଲାଇନ୍ ଅନୁକୂଳ ରଖିବା ପାଇଁ ଏନ୍ଫୋର୍ସମେଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି। ଖୁବଶୀଘ୍ର ସାତପଡ଼ାଠାରେ ଏ ସଂପର୍କରେ ବିଭିନ୍ନ ମତ୍ସ୍ୟଜୀବୀ ସଂଗଠନର ମତ ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ମସ୍ୟଜୀବଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଲୋକଭିମୁଖୀ ଯୋଜନା ସଂପର୍କରେ ସଚେତନ କରିବାକୁ ଏକ ବୈଠକ କରାଯିବାକୁ ନିଷ୍ପତ୍ତି କରାଯାଇଛି।
ଏହି ବୈଠକରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର କମିଶନ ତଥା ଶାସନ ସଚିବ ଆର୍. ରଘୁପ୍ରସାଦ,ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସୂତିରଞ୍ଜନ ପ୍ରଧାନ, ଅତିରିକ୍ତ ନିର୍ଦ୍ଦେଶକ ଦୋବନନ୍ଦ ଭଞ୍ଜ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଉପଶାସନ ସଚିବ ଅଭୟ କୁମାର ମହାନ୍ତି, ପୂର୍ବତନ କେନ୍ଦ୍ରୀୟ ମତ୍ସ୍ୟ ସମବାୟ ସମିତି ସଭାପତି କେଦାରନାଥ ଜେନା, ବ୍ରହ୍ମପୁର ପଞ୍ଚାୟତ ସମିତି ସଦସ୍ୟ ରଘୁନାଥ ଜେନା ଓ ମତ୍ସ୍ୟଜୀବୀ ନେତା ଫାଲଗୁନି ଜାଲି ପ୍ରମୁଖ ଉପସ୍ଥିତ ଥିଲେ ।ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ଅଧିକାରୀ ସୁଜିତ ରଂଜନ ସ୍ବାଇଁ ଏହି ସୂଚନା ପ୍ରଦାନ କରିଛନ୍ତି |